ଟ୍ୱିଟରରେ ପ୍ରଧାନମନ୍ତ୍ରୀଙ୍କ ଫଲୋଅର୍ସ ସଂଖ୍ୟା ୭୦ ମିଲିୟନ ଟପିଲା
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଲୋଅର୍ସ ସଂଖ୍ୟା ୭୦ ମିଲିୟନ ହୋଇଯାଇଛି । ଏହାସହ ସେ ସୋସିଆଲ ମିଡିଆରେ ସବୁଠାରୁ ଅଧିକ ଫଲୋ କରାଯାଇଥିବା ନେତା ତାଲିକାରେ ପୁଣି ଥରେ ଏକ ନମ୍ବରରେ ପହଁଚିଛନ୍ତି । ୭୦ ମିଲିୟନ ଫଲୋଅର୍ସ ହେବା ପରେ ସୋସିଆଲ ମିଡିଆରେ ମୋଦୀଙ୍କ ଲୋକପ୍ରିୟତା ବଢୁଥିବା ସ୍ପଷ୍ଟ ହୋଇଛି । ତେବେ ମୋଦୀଙ୍କ ପୂର୍ବରୁ ଏହି ରେକର୍ଡ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ଥିଲା । ଟ୍ରମ୍ପଙ୍କୁ ଟ୍ୱିଟରରେ ୮୮.୭ ମିଲିୟନ ୟୁଜର ଫଲୋ କରୁଥିଲେ । ସେହି ସମୟରେ ମୋଦୀ ଦୁଇ ନମ୍ବରରେ ରହିଥିଲେ । ସେହି ସମୟରେ ମୋଦୀଙ୍କର ୬୪.୭ ମିଲିୟନ ଅର୍ଥାତ ୬ କୋଟି ୪୭ ଲକ୍ଷ ଫଲୋଅର୍ସ ରହିଥିଲେ । ଏବେ ମୋଦୀଙ୍କ ଫଲୋଅର୍ସ ସଂଖ୍ୟା ୭ କୋଟି ଟପିଛି । ତେବେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ୨୦୧୦ ମସିହାରେ ମୋଦୀଙ୍କର କେବଳ ୧ ଲକ୍ଷ ଫଲୋଅର୍ସ ରହିଥିଲେ ।
କେବଳ ଏତିକି ନୁହେଁ, ୨୦୨୦ ଅଗଷ୍ଟରୁ ଅକ୍ଟୋବର ମଧ୍ୟରେ ଟ୍ୱିଟର, ୟୁଟ୍ୟୁବ ଓ ଗୁଗଲ ସର୍ଚ୍ଚରେ ସହ ଟ୍ରେଡିଂରେ ଟପରେ ଥିଲା ଭାରତର ପ୍ରଧାନମନ୍ତ୍ରୀ । ଯାହା କେବଳ ଭାରତ ନୁହେଁ ସାରା ଇଣ୍ଟରନେଟରେ ହିଁ ତାଙ୍କର ଲୋକପ୍ରିୟତା ରହିଥିବା ପ୍ରମାଣିତ କରିଥିଲା । ସୂଚନାଯୋଗ୍ୟ, ଅନ୍ୟମାନଙ୍କ ମଧ୍ୟରେ ରାହୁଲ ଗାନ୍ଧୀଙ୍କର ୧୯.୪ ମିଲିୟନ ଫଲୋଅର୍ସ ରହିଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ୬ ମିଲିୟନ ଫଲୋଅର୍ସ ରହିଛନ୍ତି । ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ୨୨.୮ ମିଲିୟନ ଫଲୋଅର୍ସ ରହିଥିବା ବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଲୋଅର୍ସ ସଂଖ୍ୟା ୧୪. ୫ ମିଲିୟନ ।