ପଳାତକ ବିଜୟ ମାଲ୍ୟାକୁ ଦେବାଳିଆ ଘୋଷଣା କଲେ ଲଣ୍ଡନ ହାଇକୋର୍ଟ
ଲଣ୍ଡନ, (ଓଡିଶା ଟାଇମ୍): ପଳାତାକ ବ୍ୟବସାୟୀ ବିଜୟ ମାଲ୍ୟାକୁ ଜୋରଦାର ଝଟକା ଲାଗିଛି। ଲଣ୍ଡନ ହାଇକୋର୍ଟ ମାଲ୍ୟାକୁ ଝଟକା ଦେଇଥିବା ଜଣାପଡ଼ିଛି। ହାଇକୋର୍ଟ ବିଜୟ ମାଲ୍ୟାକୁ ଦେବାଳିଆ ଘୋଷଣା କରିଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଏବେ ବିଜୟ ମାଲ୍ୟାର ସମ୍ପତି ଜବତ ପାଇଁ ରାସ୍ତା ପ୍ରଶସ୍ତ ହୋଇଛି।
ମାଲ୍ୟାକୁ ଦେବାଳିଆ ଘୋଷଣା କରାଯିବା ପରେ ଏବେ ତା ପାଖରୁ ଭାରତୀୟ ବ୍ୟାଙ୍କଗୁଡ଼ିକୁ ଋଣ ଟଙ୍କା ଆଦାୟ କରିବାକୁ ଅନୁମତି ମିଳିପାରିବ। ବ୍ୟାଙ୍କ ଆରାମରେ ତାର ବିଦେଶୀ ଆକାଉଣ୍ଟକୁ ଫ୍ରିଜ୍ କରିପାରିବ। ଆବେଦନକର୍ତ୍ତା ବ୍ୟାଙ୍କଗୁଡ଼ିକ ମଧ୍ୟରେ ୧୩ ଭାରତୀୟ ବ୍ୟାଙ୍କ ବ୍ୟାଙ୍କ ଅଫ ବରୋଦା, କର୍ପୋରେସନ୍ ବ୍ୟାଙ୍କ, ଫେଡରାଲ୍ ବ୍ୟାଙ୍କ ଲିମିଟେଡ୍, ଆଇଡିବିଆଇ ବ୍ୟାଙ୍କ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, ଜାମ୍ମୁ ଆଣ୍ଡ କାଶ୍ମୀର ବ୍ୟାଙ୍କ, ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ମୈସୁର ଏବଂ ୟୁକୋ ବ୍ୟାଙ୍କ ସାମିଲ ରହିଛି।
ମିଳିଥିବା ସୂଚନା ଅନୁସାରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମାଇକେଲ୍ ବ୍ରିଗ୍ସ ଭିଡିଓ କନଫରେନ୍ସଂ ମାଧ୍ୟମରେ ଶୁଣାଣି କରିଛନ୍ତି। ସେ କହିଛନ୍ତି, ‘ମୁଁ ଡକ୍ଟର ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କରୁଛି।’ ଭାରତୀୟ ବ୍ୟାଙ୍କଗୁଡ଼ିକ ପକ୍ଷରୁ କୋର୍ଟରେ ଲଢ଼ୁଥିବା ଓକିଲମାନେ ମାଲ୍ୟାକୁ ଦେବାଳିଆ ଘୋଷଣା ପାଇଁ ଦାବି କରିଥିଲେ। ସେପଟେ ମାଲ୍ୟାର ଓକିଲ ଫିଲିପ ମାର୍ଶଲ ଶୁଣାଣି ଏବଂ ନିର୍ଦେଶକୁ ସ୍ଥଗିତ ରଖିବାକୁ କହିଥିଲେ। ଏହାକୁ ଖାରଜ କରିବା ସହ ଜଜ୍ ଭାରତୀୟ ବ୍ୟାଙ୍କଗୁଡ଼ିକୁ ଖୁବଶୀଘ୍ର ଋଣ ଟଙ୍କା ଫେରସ୍ତ କରିବାକୁ ନିର୍ଦେଶ ମଧ୍ୟ ଦେଇଛନ୍ତି। ଏହା ପରେ ମାଲ୍ୟାଙ୍କ ଓକିଲ ଦେବାଳିଆ ଘୋଷଣା ବିରୋଧରେ ଅପିଲ କରିବାକୁ ସମୟ ମାଗିଥିଲେ। କିନ୍ତୁ ଅପିଲର କୌଣସି ସଫଳତାର ବାସ୍ତବିକତା ନଥିବା ଦର୍ଶାଇ ଏହାକୁ ନାମଞ୍ଜୁର କରିଥିଲେ ଜଷ୍ଟିସ୍ ବ୍ରିଗ୍ସ ।











