ଗିରଫଦାରୀରୁ ବଞ୍ଚିବା ପାଇଁ ରାଜ କୁନ୍ଦ୍ରା କ୍ରାଇମ ବ୍ରାଞ୍ଚକୁ ଦେଇଥିଲେ ୨୫ ଲକ୍ଷ ଟଙ୍କା ଲାଞ୍ଚ
ମୁମ୍ବାଇ, (ଓଡିଶା ଟାଇମ୍): ରାଜ କୁନ୍ଦ୍ରାଙ୍କ ପର୍ଣ୍ଣଗ୍ରାଫି ମାମଲାରେ ଫେରାର ଜଣେ ଅଭିଯୁକ୍ତଙ୍କ ବଡ ଖୁଲାସା। ଅଭିଯୁକ୍ତ ୟଶ୍ ଠାକୁରଙ୍କ ଦାବି ଗିରଫଦାରୀରୁ ବଞ୍ଚିବା ପାଇଁ କ୍ରାଇମ ବ୍ରାଞ୍ଚକୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ଦେଇଥିଲେ ରାଜ କୁନ୍ଦ୍ରା। ଏହି ଦାବି ପରେ ପୋଲିସ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ଉଠିଲା ବଡ ପ୍ରଶ୍ନ। କେବଳ ଏତିକି ନୁହେଁ ୟଶ୍ କହିଛନ୍ତି, ପୋଲିସ ମଧ୍ୟ କୁନ୍ଦ୍ରାଙ୍କୁ ଲାଞ୍ଚ ମାଗିଥିଲା। ଏବେ ଖୋଦ୍ ପ୍ରଶ୍ନ ଘେରରେ ପୋଲିସ ପ୍ରଶାସନ।
ୟଶ ଠାକୁର କହିଛନ୍ତି, ଏହି ମାମଲାରେ ସେ ମାର୍ଚ୍ଚରେ ମହାରାଷ୍ଟ୍ର ଦୁର୍ନୀତି ନିବାରଣ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଏହି ବିଷୟରେ ଏକ ଇମେଲ୍ ମଧ୍ୟ ଲେଖିଥିଲେ। ଏଥିରେ ସେ ଉଲ୍ଲେଖ କରିଥିଲେ ଯେ, କ୍ରାଇମ ବ୍ରାଞ୍ଚ ଅଧିକାରୀ ରାଜ କୁନ୍ଦ୍ରାଙ୍କଠୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ନେଇଛନ୍ତି। ତାଙ୍କ କହିବା ଅନୁଯାୟୀ ଦୁର୍ନୀତି ନିବାରଣ ବ୍ୟୁରୋ ଏହି ମେଲ୍ର ଯାଞ୍ଚ ପାଇଁ ଏପ୍ରିଲ ମାସରେ ହିଁ ମୁମ୍ବାଇ ପୋଲିସ କମିସନରଙ୍କ ପାଖକୁ ପଠାଇଥିଲେ।
ସୂଚନାଯୋଗ୍ୟ, ୟଶ ଠାକୁର ନିଜେ ପର୍ଣ୍ଣ ଫିଲ୍ମ ମାମଲାରେ ଅଭିଯୁକ୍ତ। ତାଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ସେ ଫେରାର। ଅନ୍ୟଫଟେ ଶିଳ୍ପା ସେଟ୍ଟୀଙ୍କ ସ୍ଵାମୀ ରାଜ କୁନ୍ଦ୍ରାଙ୍କୁ ସୋମବାର ବିଳମ୍ବିତ ରାତ୍ରିରେ ଗିରଫ କରାଯାଇଥିଲା। ଜୁଲାଇ ୨୩ ପର୍ଯ୍ୟନ୍ତ ସେ ପୋଲିସର ରିମାଣ୍ଡରେ ଅଛନ୍ତି। ପର୍ଣ୍ଣଗ୍ରାଫି ମାମଲାରେ ରାଜଙ୍କ ଗିରଫ ପରେ ଏବେ ତାଙ୍କ ଭେଣୋଇ ପ୍ରଦୀପ ବକ୍ସିଙ୍କ ମୁସ୍କିଲ ବଢିବାର ସମ୍ଭାବନା ରହିଛି। ମୁମ୍ବାଇ କ୍ରାଇମ ବ୍ରାଞ୍ଚ କେନରିନ କମ୍ପାନୀର ସିଇଓ ପ୍ରଦୀପ ବକ୍ସିଙ୍କ ବିରୋଧରେ ମଧ୍ୟ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି।











