ଟାସ୍କ ଫୋର୍ସ ଗଠନ କଲା ଇସ୍ରାଏଲ୍, ପେଗାସସ୍ ମାମଲାରେ କରିବ ତଦନ୍ତ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ପେଗାସସ୍ ସଫ୍ଟଓୟାର ଦ୍ୱାରା ହେଉଥିବା ଫୋନ୍ ଟ୍ୟାପିଂ ମାମଲାରେ ଅନେକ ଦେଶରେ ଚର୍ଚ୍ଚା ଜୋର୍ ଧରିଛି ।ଭାରତ ସମେତ ଅନେକ ଦେଶର ନେତା, ସାମ୍ବାଦିକ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ସଫ୍ଟଓୟାର ଜରିଆରେ ଟାର୍ଗେଟ୍ କରାଯାଇଛି । ଏହି ସଫ୍ଟଓୟାରରୁ ଇସ୍ରାଏଲର ଏନଏସଓ ଗ୍ରୁପ୍ ତିଆରି କରିଥାଏ । ଲଗାତର ଭାବେ ଅଭିଯୋଗ ଆସିବା ପରେ ଇସ୍ରାଏଲ୍ ଘଟଣାର ତଦନ୍ତ ପାଇଁ ଟାସ୍କଫୋର୍ସ ଗଠନ କରିଛି ।
ରୟଟର୍ସର ରିପୋର୍ଟ ଅନୁସାରେ, ଇସ୍ରାଏଲ ବରିଷ୍ଠ ମନ୍ତ୍ରୀଙ୍କୁ ନେଇ ଏକ ଟିମ୍ ଗଠନ କରିଛି । ଏହି ଟିମ୍ ପୁରା ବିବାଦ ଉପରେ ନଜର ରଖିବ । ଟିମ୍ ଏନଏସଓ କମ୍ପାନୀ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରିବ । ଏହାସହ ଦେଶର ସାଇବର୍ ଏକ୍ସପର୍ଟ ନୀତିକୁ ମଧ୍ୟ ସମୀକ୍ଷା କରିବ । ଟିମ୍ରେ ଇସ୍ରାଏଲ ପ୍ରତିରକ୍ଷା ବିଭାଗ, ଆଇନ ବିଭାଗ, ବୈଦେଶିକ ବିଭାଗ ଓ ମୋସାଦରେ ଥିବା ବ୍ୟକ୍ତିଙ୍କୁ ସାମିଲ କରାଯାଇଛି।
ସୂଚନାଯୋଗ୍ୟ, ରବିବାର କିଛି ମିଡିଆ ରିପୋର୍ଟରେ କୁହାଯାଇଥିଲା ଯେ ଇସ୍ରାଏଲ୍ କମ୍ପାନୀ ଏନ୍ଏସ୍ଓ ଦ୍ୱାରା ବିକଶିତ କରାଯାଇଥିବା ପେଗାସସ୍ ସଫ୍ଟୱୟାର ବ୍ୟବହାର କରି ଭାରତର ୩୦୦ରୁ ଅଧିକ ଫୋନ୍ ନମ୍ବର ହ୍ୟାକ କରାଯାଇଛି। ଏମାନଙ୍କ ମଧ୍ୟରୁ ବର୍ତ୍ତମାନର କେନ୍ଦ୍ର ମନ୍ତ୍ରୀ, ତିନି ବିପକ୍ଷ ନେତା, ୪୦ରୁ ଅଧିକ ସାମ୍ବାଦିକ, ଜଣେ ବିଚାପତି ଓ ସୁରକ୍ଷା ଏଜେନ୍ସିର ପୂର୍ବ ତଥା ବର୍ତ୍ତମାନର ମୁଖ୍ୟଙ୍କ ସମେତ ଦେଶର ଅନେକ ବ୍ୟବସାୟୀଙ୍କ ନମ୍ବର ମଧ୍ୟ ରହିଛି। ସଂସଦରେ ଏ ପ୍ରସଙ୍ଗ ମଧ୍ୟ ଉଠିଥିଲା । ଯାହାର ଉତ୍ତର ରଖି ଆଇଟି ମନ୍ତ୍ରୀ କହିଥିଲେ ଯେ, ପୂର୍ବରୁ ମଧ୍ୟ ପେଗାସସ୍ର ବ୍ୟବହାରକୁ ନେଇ ଏମିତି ଦାବି କରାଯାଇଥିଲା। ସେହି ରିପୋର୍ଟଗୁଡ଼ିକରେ କୌଣସି ତଥ୍ୟାତ୍ମକ ଆଧାର ନଥିଲା। ତେଣୁ ସୁପ୍ରିମକୋର୍ଟଙ୍କ ସମେତ ସମସ୍ତ ପକ୍ଷ ଏହି ରିପୋର୍ଟକୁ ସ୍ପଷ୍ଟ ଭାବରେ ଅସ୍ୱୀକାର କରିଥିଲେ। ତେଣୁ ୧୮ ଜୁଲାଇ ୨୦୨୧ରେ ଏ ନେଇ ଯେଉଁ ରିପୋର୍ଟ ପ୍ରକାଶ ପାଇଥିଲା ତାହା ଭାରତୀୟ ଗଣତନ୍ତ୍ର ଓ ଆମ ସଂସ୍ଥାମାନଙ୍କର ବଦନାମ କରିବାକୁ ଏକ ଷଡ଼ଯନ୍ତ୍ର ବୋଲି ଆଇଟି ମନ୍ତ୍ରୀ କହିଥିଲେ ।











