ରାଜ୍ୟପାଳ ଧନକର ଦୁର୍ନୀତିଗ୍ରସ୍ତ, ତାଙ୍କୁ ବରଖାସ୍ତ କରାଯାଉ: ମମତା

କୋଲକାତା, (ଓଡିଶା ଟାଇମ୍): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନକରଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି। ମମତା ସୋମବାର ଧନକରଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ଆକ୍ଷେପ କରିବା ସହ ତୁରନ୍ତ ତାଙ୍କୁ ପ୍ରତ୍ୟାହାର କରିନେବାକୁ ଦାବି କରିଛନ୍ତି। ପୂର୍ବରୁ ତିନି ଥର ଏ ସମ୍ପର୍କରେ ଦାବି କରିଥିଲେ ମଧ୍ୟ କେନ୍ଦ୍ର ସରକାର ସେଥିପ୍ରତି ଧ୍ୟାନ ଦେଉ ନ ଥିବା ମମତା ଅଭିଯୋଗ କରିଛନ୍ତି।

ମମତା କହିଛନ୍ତି ଯେ ୧୯୯୬ର ବହୁଚର୍ଚ୍ଚିତ ଜୈନ୍‌ ହାୱାଲା ମାମଲାର ଅଭିଯୋଗ ଫର୍ଦରେ ଧନକରଙ୍କ ନାମ ଥିଲା। ଏଭଳି ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ରାଜ୍ୟପାଳ ପଦରେ ବସାଯାଇଛି। ସେ ଏଠାରେ ବିଜେପି ପାଇଁ ପ୍ରତ୍ୟକ୍ଷ ରାଜନୀତିରେ ଲିପ୍ତ ଅଛନ୍ତି। ରାଜ୍ୟରେ ତୃଣମୂଳ କଂଗ୍ରେସ ପୂର୍ବାପେକ୍ଷା ଅଧିକ ସଂଖ୍ୟାରେ ବିଜୟ ହାସଲ କଲେ ମଧ୍ୟ ସେ ପଦ ତ୍ୟାଗ ନ କରି ସ୍ବେଚ୍ଛାଚାରୀ କାର୍ଯ୍ୟ ଅବ୍ୟାହତ ରଖିଛନ୍ତି। ଜୁଲାଇ ୨​‌େ​‌ର ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନରେ ରାଜ୍ୟପାଳଙ୍କୁ ବରଖାସ୍ତ କରାଯିବା ନେଇ ସଂକଳ୍ପ ଆଗତ ହେବ ବୋଲି ମମତା କହିଛନ୍ତି। ଏ ସଂକ୍ରାନ୍ତରେ ବାଚସ୍ପତି ବିମାନ ବାନାର୍ଜୀଙ୍କ ସହିତ ଆଲୋଚନା କରିଥିବା କହିଛନ୍ତି। ବାଚସ୍ପତି ବାନାର୍ଜୀ ମଧ୍ୟ ରାଜ୍ୟପାଳଙ୍କ ରାଜନୈତିକ କାର୍ଯ୍ୟକଳାପ ଓ ପ୍ରଶାସନରେ ଅଯଥା ହସ୍ତକ୍ଷେପ ସମ୍ପର୍କରେ ଲୋକସଭା ବାଚସ୍ପତି ଓମ୍‌ ବିରଳାଙ୍କୁ ଗତ ସପ୍ତାହରେ ଲିଖିତ ଭାବେ ଜରାଇଥିବା ପ୍ରକାଶ।

Leave a Reply

Your email address will not be published. Required fields are marked *