୫% ସଂକ୍ରମଣ କମ୍ ଥିବା ଜିଲ୍ଲାମାନଙ୍କରେ କୋହଳ ହୋଇପାରେ କଟକଣା : ଡିଏମଇଟି

ଭୁବନେଶ୍ବର, (ଓଡିଶା ଟାଇମ୍) : ଜୁନ୍‌ ସରିବାକୁ ଆଉ ୨ ଦିନ ବାକି। ଜୁନ୍‌ ୩୦ ପରେ ରାଜ୍ୟରୁ କରୋନା କଟକଣା ହଟିବ କି ? ଏହାକୁ ଅପେକ୍ଷା କରିଛନ୍ତି ରାଜ୍ୟବାସୀ। ହେଲେ କରୋନା  ସ୍ଥିତିକୁ ନେଇ ଆଶା ଜନକ ଫଳ ଦିଶୁନି। ଏବେ ବି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଉପରେ ରହିଛି। ଏପରି ସ୍ଥିତିରେ ଲକ୍‌ଡାଉନ ହଟିବ ନା କୋହଳ ହେବ ସୂଚନା ଦେଇଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି।

ଡକ୍ଟର ସିବିକେ ମହାନ୍ତି କହିଛନ୍ତି, ଟ୍ରେଣ୍ଡକୁ ଦେଖି କେଉଁ ଜିଲ୍ଲାରେ ଲକ୍‌ଡାଉନ୍ ଉଠିବ ନିଷ୍ପତ୍ତି ନିଆଯିବ। ୫ ପ୍ରତିଶତ ଥିବା ଜିଲ୍ଲାରେ କଟକଣା କୋହଳ କରାଯାଇପାରେ। ଲୋକଙ୍କ ବ୍ୟବହାର, ଟିପିଆର୍, କେତେ ସଂକ୍ରମିତ ହେଉଛନ୍ତି ସେସବୁ ଦେଖାଯିବ। ଏସବୁକୁ ନଜରରେ ରଖି କଟକଣା କୋହଳ ହେବ କି ନାହିଁ ନିଷ୍ପତ୍ତି ନିଆଯିବ।

ସେ କହିଛନ୍ତି, ଡେଲଟା ପ୍ଲସ ସମ୍ପର୍କରେ ଦେବଗଡ଼ ଯାଇଥିବା ଟିମ ଆସିଲା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବାବଦରେ ସ୍ପଷ୍ଟ ଚିତ୍ର ଜଣାପଡିଛି । ଦେବଗଡ଼ର ଡେଲ୍‌ଟା ପ୍ଲସ ଚିହ୍ନଟ ରୋଗୀ ସୁସ୍ଥ ହୋଇ ସାରିଛନ୍ତି। ସଂପୃକ୍ତ ବ୍ୟକ୍ତି ଏପ୍ରିଲରେ ସଂକ୍ରମିତ ହୋଇ ସୁସ୍ଥ ହୋଇ ସାରିଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ଡେଲ୍ଟା ପ୍ଲସ କି ନାହିଁ ତଦନ୍ତ ଚାଲିଛି।  ଦେବଗଡ଼ରେ ଟିପିଆର୍ କମ୍ ଓ ମୃତ୍ୟୁ ସଂଖ୍ୟା ମଧ୍ୟ କମ୍। ତେଣୁ ସଂପୃକ୍ତ ବ୍ୟକ୍ତି କାହାରିକୁ ସଂକ୍ରମିତ କରିଥିବେ ବୋଲି କହିହେଉ ନାହିଁ।

Leave a Reply

Your email address will not be published. Required fields are marked *