କୋଭିଡ୍ କଟକଣାରେ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନନୀତି ସମ୍ପନ୍ନ

ନୀଳଗିରି, (ଓଡିଶା ଟାଇମ୍): ଚଳିତବର୍ଷ କୋଭିଡ୍ କଟକଣା ଭିତରେ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ଜଗନ୍ନାଥ ମନ୍ଦିର ପରିସରରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ସ୍ନାନନୀତି ସମ୍ପନ୍ନ ହୋଇଛି। ଚଳିତବର୍ଷ ସରକାରଙ୍କ କଟକଣା ଭିତରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ବାରଣ କରାଯାଇଥିଲା। ହେଲେ ରଥର ନୀତିପୂଜା ସବୁ ମନ୍ଦିର ଭିତରେ ହେବାକୁ ନିର୍ଦ୍ଦେଶ ରହିଛି।

ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ସକାଳୁ ତିନି ଠାକୁର ରତ୍ନ ସିଂହାସନରୁ ସ୍ନାନ ମଣ୍ଡପ ବିଜେ କରିବାକୁ ତଳକୁ ଆସିଥିଲେ। ପରେ ଦିନ ୧୦ଟାରେ ନୀଳଗିରି ରାଜା ଜୟନ୍ତଚନ୍ଦ୍ର ମର୍ଦରାଜ ହରିଚନ୍ଦନ ରାଜବାଟି ପରିସରରୁ ଆସିବା ପରେ ତିନିଠାକୁରଙ୍କୁ ଦର୍ଶନ କରି ବନ୍ଦାପନା କରିଥିଲେ। ପ୍ରଥମେ ସୁଦର୍ଶନ ପରେ ବଳଭଦ୍ର ଓ ସୁଭଦ୍ରା ସ୍ନାନ ମଣ୍ଡପ ବିଜେ କରିବା ପରେ ଜଗନ୍ନାଥ ବିଜେ କରିଥିଲେ। ଏହାପରେ ସୁବାସିତ ୧୦୮ କଳସ ପାଣି ଅଣାଯାଇଥିଲା । ରୀତିପୂଜା ପରେ ଆଳତୀ ହୋଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ୧୦୮ କଳସ ଜଳରେ ସ୍ନାନ କରାଯାଇଥିଲା। ଅପରାହ୍ନରେ ତିନିଠାକୁର ଗଜାନନ ବେଶ । କୋଭିଡ କଟକଣା ପାଇଁ ରଥଦାଣ୍ଡ ଖାଁ ଖାଁ ଡାକୁଥିବା ବେଳେ ଆଖପାଖର କିଛି ଭକ୍ତଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *