କରୋନାରୁ ସୁସ୍ଥ ହେଲେ ବିଧାୟକ ତାରାପ୍ରସାଦ ବାହିନୀପତି
ଭୁବନେଶ୍ବର, (ଓଡିଶା ଟାଇମ୍): କରୋନାକୁ ମାତ୍ ଦେଇଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି । ଦୀର୍ଘ ୧୨ ଦିନ ଧରି ଚିକିତ୍ସା ହେବା ପରେ ସୁସ୍ଥ ହୋଇଛନ୍ତି । ଏଥିଲାଗି ସେ ସମସ୍ତ ଶ୍ରେୟ ଭୁବନେଶ୍ୱରର ସମ୍ କୋଭିଡ୍ ମେଡିକାଲ୍କୁ ପ୍ରଦାନ କରିଛନ୍ତି ।
ଶ୍ରୀ ବାହିନୀପତି କହିଛନ୍ତି, ସମ୍ ହସ୍ପିଟାଲର ଅଧ୍ୟକ୍ଷ ତଥା ତାଙ୍କ ଭାଇ ସମାନ ଡ. ମନୋଜ ରଂଜନ ନାୟକ ଏବଂ କୋଭିଡ୍ ମେଡିକାଲ୍ର ସମସ୍ତ ଡାକ୍ତର, ବିଶେଷ କରି ଡାକ୍ତର ପାତ୍ର, ସ୍ୱାସ୍ଥ୍ୟକର୍ମୀ, ସେବକସେବିକାଙ୍କ ଲାଗି ସେ କୋଭିଡ୍କୁ ହରାଇ ପାରିଛନ୍ତି । ସେମାନଙ୍କ ଉଚ୍ଚକୋଟୀର ସେବା, କର୍ତ୍ତବ୍ୟନିଷ୍ଠା ଏବଂ ଉତ୍ସର୍ଗୀକୃତ ମନୋଭାବ ଯୋଗୁ ଏହା ସମ୍ଭବ ହୋଇପାରିଛି । ଅଧ୍ୟକ୍ଷ ଡ. ନାୟକ ରାତି ୨ଟା ପର୍ଯ୍ୟନ୍ତ ବ୍ୟକ୍ତିଗତ ଭାବେ ତାଙ୍କ ସହ ଅଧିକାଂଶ ରୋଗୀଙ୍କ କଥା ପଚାରି ବୁଝୁଥିଲେ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡ. ନାୟକ ଓଡ଼ିଶାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ସଫଳ ହୋଇଛନ୍ତି । ଏଥିଲାଗି ହୃଦୟରୁ ତାଙ୍କ ସହ ସମସ୍ତ ଡାକ୍ତର ଓ ନର୍ସମାନଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଉଛି ।
ଶ୍ରୀ ବାହିନୀପତି କହିଛନ୍ତି, ଗତ ୫ ତାରିଖରେ କୋଭିଡ୍ ପଜିଟିଭ୍ ଥିବା ରିପୋର୍ଟ ଆସିବା ପରେ ସେ ଭୁବନେଶ୍ୱରର ସମ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ । ସେଠାର ଡାକ୍ତର ପାତ୍ରଙ୍କ ସହ ସ୍ୱାସ୍ଥ୍ୟକର୍ମୀ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିଲେ । ଡାକ୍ତରୀ ଟିମ୍ ପ୍ରତିଦିନ ୩ ଥର ପରୀକ୍ଷା କରୁଥିଲେ । ସ୍ୱାସ୍ଥ୍ୟକର୍ମୀ ଏବଂ ସେବିକାମାନେ ଦିନକୁ ୬ ଥର ଆସି ଔଷଧ ଦେବା ସହ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝୁଥିଲେ । କୌଣସି ସମୟରେ ଚିକିତ୍ସା କ୍ଷେତ୍ରରେ ତିଳେ ହେଲେ ଅବହେଳା କରାଯାଉନି । ଠିକ୍ ସମୟରେ ସ୍ୱାସ୍ଥ୍ୟ ପରୀକ୍ଷା ସହ ଉତ୍ତମ ମାନର ଖାଦ୍ୟ ଦିଆଯାଉଛି ।
ଉତ୍ସର୍ଗୀକୃତ ଭାବନା ଯୋଗୁଁ ମୁଁ ଆଜି ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇ ଘରକୁ ଫେରିଛି ଏବଂ ନିକଟ ଅତୀତରେ ମୋ ଭାଇ, ଜ୍ବାଇଁ ଏବଂ ଅନେକ ସମ୍ପର୍କୀୟ ଏହି ହସ୍ପିଟାଲ୍ ର ଦକ୍ଷ ଏବଂ ସେବା ମନୋଭାବ ପାଇଁ ଭଲ ହୋଇଛନ୍ତି, ତେଣୁ ମୁଁ ସମସ୍ତଙ୍କୁ ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି । (2/2)
— Taraprasad Bahinipati / ତାରାପ୍ରସାଦ ବାହିନୀପତି (@bhalubh55) June 20, 2021