ଆସାମରୁ କଂଗ୍ରେସକୁ ବଡ ଝଟକା : ଇସ୍ତଫା ଦେଲେ ବିଧାୟକ ରୂପଜ୍ୟୋତି କୁର୍ମୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଆସାମରେ ଜିତିବାର ଦେଢ ମାସ ମଧ୍ୟରେ କଂଗ୍ରେସ ବିଧାୟକ ରୂପଜ୍ୟୋତି କୁର୍ମୀ ଦଳରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ପଞ୍ଜାବ, ରାଜସ୍ଥାନରୁ ନେଇ ମୁମ୍ବାଇ ପର୍ଯ୍ୟନ୍ତ ଲାଗିରହିଥିବା ଆଭ୍ୟନ୍ତରୀଣ କଳହର ସମ୍ମୁଖୀନ ହେଉଥିବା କଂଗ୍ରେସକୁ ଆଉ ଝଟକା ଲାଗିଥିଲା ଯେତେବେଳେ ଆସାମ ବିଧାୟକ ରୂପଜ୍ୟୋତି କୁର୍ମୀ ଦଳର ହାଇକମାଣ୍ଡଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ଇସ୍ତଫା ଦେଇଛନ୍ତି । ସେ ଆସନ୍ତା ସପ୍ତାହରେ ବିଜେପିରେ ଯୋଗଦେବେ ।

ଜୋରହାଟ ଜିଲ୍ଲାର ମାରିୟାନି ଆସନରୁ ରୂପଜ୍ୟୋତି କୁର୍ମୀ ଲଗାତର ୪ର୍ଥ ଥର ପାଇଁ ବିଧାୟକ ଭାବେ ବିଜୟୀ ହୋଇଥିଲେ । ଜିତିବାର ଦେଢ ମାସ ପରେ ସେ ବାଚସ୍ପତି ବିଶ୍ବଜିତ ଦୈମାରିଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏହି ସମୟରେ କୁର୍ମୀଙ୍କ ସହ ଦୁଇ ବିଜେପି ବିଧାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପୀୟୁଷ ହଜାରିକା ଏବଂ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବା ସରମାଙ୍କ ରାଜନୈତିକ ସଚିବ ଜୟନ୍ତ ମଲା ବାରୁଆ ଉପସ୍ଥିତ ଥିଲେ । ଏହି ଦୁଇ ବିଧାୟକ ପୂର୍ବରୁ କଂଗ୍ରେସରେ ଥିଲେ ଏବଂ ୨୦୧୫ରେ ସରମାଙ୍କ ସହ ସାଫ୍ରନ୍ ପାର୍ଟିରେ ଯୋଗ ଦେଇଥିଲେ ।

ଇସ୍ତଫା ଦେବା ପରେ କୁର୍ମୀ କହିଛନ୍ତି ଯେ, ବିଧାନସଭାରେ ବିରୋଧୀଦଳ ନେତା ପଦବୀ ଦେବା ପାଇଁ ମୋତେ ଆଶ୍ବାସନା ଦିଆଯାଇଥିଲା । କିନ୍ତୁ ପରେ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା । ମୁଁ ଦଳର ରାଜ୍ୟ ସଭାପତି ପଦ ପାଇଁ ଆବେଦନ କରିଥିଲି, କିନ୍ତୁ ତାହା ମଧ୍ୟ ଗ୍ରହଣ କରାଯାଇ ନଥିଲା । ଦଳ ବିଧାନସଭାର ପବ୍ଲିକ ଆକାଉଣ୍ଟସ କମିଟି (ପିଏସି) ର ସଦସ୍ୟ ତାଲିକାରେ ମୋ ନାମ ଅନ୍ତର୍ଭୁକ୍ତ କରି ନାହିଁ । ଏଥିରୁ ଜଣାପଡୁଛି ଯେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକ ଚାହାଁନ୍ତି ନାହିଁ ମୋ ଭଳି ନେତାମାନେ ଉପରକୁ ଉଠନ୍ତୁ ।

Leave a Reply

Your email address will not be published. Required fields are marked *