ସଚିନ ପାଇଲଟ୍ଙ୍କୁ ବିଜେପିର ଅଫର- ଦେଶକୁ ପ୍ରାଥମିକତା ଦେଉଥିବା ଲୋକଙ୍କ ପାଇଁ ଆମ ଦ୍ଵାର ଖୋଲା
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ରାଜସ୍ଥାନ କଂଗ୍ରେସରେ ଜାରି ଆଭ୍ୟନ୍ତରୀଣ କନ୍ଦଳର ଫାଇଦା ନେବାକୁ ଚାହିଁ ରହିଛି ବିଜେପି। ଗେହେଲଟଙ୍କ ଉପରେ ଅସନ୍ତୁଷ୍ଟ ଥିବା ସଚିନ ପାଇଲଟଙ୍କୁ ମନାଇବାରେ ଅସନ୍ତୋଷ ରହିଛି କେନ୍ଦ୍ର କଂଗ୍ରେସ। ଏହି ଦୁର୍ବଳ ମୁହୂର୍ତ୍ତର ଫାଇଦା ଉଠାବା ପାଇଁ ବିଜେପି ବାରମ୍ବାର ପ୍ରୟାସ କରି ଚାଲିଛି। ସଚିନ ପାଇଲଟ ଜଣେ ଦକ୍ଷ ନେତା ହୋଇଥିବାରୁ ତାଙ୍କୁ ଦଳମୁହାଁ କରାଇବା ପାଇଁ ଜୋରସୋର ଲାଗି ପଡିଛି ବିଜେପି। ନିଜ ସରକାର ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ପ୍ରତି ଅସନ୍ତୁଷ୍ଟ ଥିବା କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ଙ୍କୁ ବିଜେପି ନିଜ ଦଳରେ ସାମିଲ୍ କରାଇବା ପାଇଁ ପ୍ରୟାସ ଜାରି ରଖିଛି।
ବିଜେପି ଇସାରା ଇସାରାରେ ପାଇଲଟ୍ଙ୍କୁ ଅଫର ଦେଇ କହିଛନ୍ତି ଯେ, ପାର୍ଟିର ଦ୍ଵାର ସେହି ସମସ୍ତ ଲୋକଙ୍କ ପାଇଁ ଖୋଲା ଯେଉଁମାନେ ଦେଶକୁ ପ୍ରଥମ ପ୍ରାଥମିକତା ଦେଇଥାନ୍ତି। ରାଜସ୍ଥାନ ସାଂସଦ ରାଜ୍ୟବର୍ଦ୍ଧନ ସିଂହ ରାଠୋର କହିଛନ୍ତି, କଂଗ୍ରେସ ପାର୍ଟିର କୌଣସି ଭବିଷ୍ୟତ ନାହିଁ। ଏଥିପାଇଁ ନେତାମାନଙ୍କୁ ଭବିଷ୍ୟତ ଏବଂ ଦୂରଦୃଷ୍ଟି ଥିବା ଦଳରେ ସାମିଲ ହେବା ଉଚିତ୍।
ପୂର୍ବତନ ଅଲିମ୍ପିକ ପଦକ ବିଜେତା ରାଠୋର ସଚିନ ପାଇଲଟ୍ଙ୍କ ବିଜେପିରେ ସାମିଲ ହେବା ନେଇ ପ୍ରଶ୍ନର ଉତ୍ତରରେ କହିଛନ୍ତି, ଆମ ପାର୍ଟିର ଦ୍ଵାର ସେହି ଲୋକଙ୍କ ପାଇଁ ଖୋଲା, ଯେଉଁମାନେ ଦେଶକୁ ପ୍ରାଥମିକତା ଦିଅନ୍ତି। କଂଗ୍ରେସ ଦଳର ଏମିତି ସ୍ଥିତି ପାଇଁ ରାଠୋର କଂଗ୍ରେସର ବରିଷ୍ଠ ନେତାଙ୍କୁ ଦାୟୀ କରିଛନ୍ତି। ଯେବେ ପାର୍ଟିର ହାଇକମାଣ୍ଡ ଦୁର୍ବଳ ହୁଅନ୍ତି ତେବେ ତଳ ସ୍ତରରେ ଏହାର ପ୍ରଭାବ ପଡିଥାଏ। ନେତାମାନେ ମନମୁଖୀ ହୋଇ ଯାଆନ୍ତି। ସେ ରାଜସ୍ଥାନ କଥା ହେଉ କି ପଞ୍ଜାବ। ଯେବେ ଦଳରେ କୌଣସି ଦୂରଦୃଷ୍ଟି ନଥାଏ ତେବେ ନେତା ଦଳ ଛାଡି ଦୂରଦୃଷ୍ଟି ସଂପନ୍ନ ଥିବା ଅନ୍ୟ ଦଳରେ ଯୋଗ ଦିଅନ୍ତି ବୋଲି ରାଠୋର କହିଛନ୍ତି।











