କର୍କଟରେ ଶିଶୁଙ୍କ ଆରୋଗ୍ୟ ହାର ଅଧିକ, ‘ସମ୍’ ହସ୍ପିଟାଲରେ ଉପଲବ୍ଧ ହେଉଛି ଉନ୍ନତ ଚିକିତ୍ସା ସୁବିଧା
ଭୁବନେଶ୍ବର, (ଓଡିଶା ଟାଇମ୍): ଜାତୀୟ କ୍ୟାନସର ସରଭାଇଭର ଦିବସ ଆସନ୍ତାକାଲି ପାଳନ ହେବ । ଏହି ଅବସରରେ ସମ୍ ହସ୍ପିଟାଲ୍ରେ କାର୍ଯ୍ୟରତ ଶିଶୁ କର୍କଟ ରୋଗ ବିଭାଗର ବରିଷ୍ଠ ପରାମର୍ଶଦାତା ପ୍ରଫେସର ସରୋଜ ପଣ୍ଡା କହିଛନ୍ତି, ବୟସ୍କଙ୍କ ତୁଳନାରେ କର୍କଟ ରୋଗରୁ ଶିଶୁଙ୍କ ଆରୋଗ୍ୟ ହାର ଅଧିକ । ବିକଶିତ ରାଷ୍ଟ୍ରଗୁଡ଼ିକରେ ଶିଶୁଙ୍କ ମଧ୍ୟରେ ଦେଖାଯାଉଥିବା କର୍କଟ ରୋଗରେ ସୁସ୍ଥତା ହାର ୮୦ ପ୍ରତିଶତରୁ ଅଧିକ ରହିଛି । ଭାରତ ପରି ବିକାଶଶୀଳ ରାଷ୍ଟ୍ରରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ଅଭାବ ସହ ସୀମିତ ଉତ୍ସ କାରଣରୁ କର୍କଟ ରୋଗୀଙ୍କୁ ଚିକିତ୍ସା କରିବା ବଡ଼ ଆହ୍ୱାନ ହୋଇଛି ।
ଡ. ପଣ୍ଡା କହିଛନ୍ତି, ପୂର୍ବରୁ ଓଡ଼ିଶାରେ କର୍କଟ ରୋଗରେ ଆକ୍ରାନ୍ତ ଅଧିକାଂଶ ପିଲା ରାଜ୍ୟ ବାହାରେ ଥିବା କେନ୍ଦ୍ର ଉପରେ ନିର୍ଭର କରୁଥିଲେ । କିନ୍ତୁ ବର୍ତ୍ତମାନ ପରିସ୍ଥିତି ବଦଳିଛି । ସମ୍ ହସ୍ପିଟାଲ୍ରେ ଆବଶ୍ୟକ ଭିତ୍ତିଭୂମି ଅଛି । ସମସ୍ତ ପ୍ରକାର ଶିଶୁ କର୍କଟ ରୋଗ ପାଇଁ ହସ୍ପିଟାଲ୍ରେ ଚିକିତ୍ସା ଯୋଗାଉଛୁ । ଆମେ ପ୍ରତିବର୍ଷ ପ୍ରାୟ ଦୁଇ ଶହ ପିଲାଙ୍କ ବିଭିନ୍ନ କର୍କଟ ରୋଗର ଚିକିତ୍ସା କରୁଛୁ । ଲ୍ୟୁକୋମିଆ, ଲିମ୍ଫୋମା, ବ୍ରେନ୍ ଟ୍ୟୁମର, ବୋନ୍ ଆଣ୍ଡ ସଫ୍ଟ ଟିସୁ କ୍ୟାନସର, ୱିଲ୍ମସ ଟ୍ୟୁମର୍ (କିଡ୍ନୀ କର୍କଟ), ନ୍ୟୁରୋବ୍ଲୋଷ୍ଟାମା, ହେପାଟୋବ୍ଲାଷ୍ଟୋମା ଏବଂ ଅନ୍ୟାନ୍ୟ ବିରଳ କର୍କଟ ରୋଗର ଚିକିତ୍ସା ହେଉଛି । କର୍କଟ ରୋଗରେ ପୀଡ଼ିତ କୌଣସି ବି ଶିଶୁର ଚିକିତ୍ସା ଅଭାବ ହେବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି ।
ସମ୍ ହସ୍ପିଟାଲ୍ ଶିଶୁ କର୍କଟ ରୋଗ ବିଭାଗର ସହକାରୀ ପ୍ରଫେସର ଡାକ୍ତର ନିର୍ମାଲ୍ୟ ଦେଓ ପ୍ରଧାନ କହିଛନ୍ତି, ରାଜ୍ୟ ତଥା କେନ୍ଦ୍ର ସରକାର କର୍କଟରେ ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା ପାଇଁ ଅନେକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଇଛନ୍ତି । ଧୀରେ ଧୀରେ ତାଲିମପ୍ରାପ୍ତ ଶିଶୁ କର୍କଟ ବିଶେଷଜ୍ଞଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ହେଲେ ବିକାଶଶୀଳ ଦେଶ ଗୁଡିକରେ ଶିଶୁ କର୍କଟ ଚିକିତ୍ସାରେ ଆହୁରି ଅଧିକ ଉନ୍ନତିର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ସଂସ୍ଥା କହିଛନ୍ତି ।