‘ଭାରତ-ଚୀନ୍ ମଧ୍ୟରେ ତୃତୀୟ ପକ୍ଷର ମଧ୍ୟସ୍ଥତା ଗ୍ରହଣୀୟ ନୁହେଁ, ବିବାଦ ସମାଧନ ପାଇଁ ମୋଦୀ-ଜିନପିଙ୍ଗ ସକ୍ଷମ’
ନୂଆଦିଲ୍ଲୀ, (ଓଡିଶା ଓଡିଶା): ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଶନିବାର ଭାରତ ଏବଂ ଚୀନକୁ ନେଇ ନିଜର ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ଦାୟିତ୍ବବାନ ନେତା ଏବଂ ଦୁଇ ଦେଶ ମଧ୍ୟରେ ଚାଲିଥିବା ସୀମା ବିବାଦ ସମାଧାନ ପାଇଁ ସକ୍ଷମ। ଏହା ସହ ଦୁଇ ଦେଶ ମଧ୍ୟରେ ତୃତୀୟ ଶକ୍ତି (ଦେଶ) ଦଖଲ ଦେବା ଅନୁଚିତ ବୋଲି ମଧ୍ୟ ସେ କହିଛନ୍ତି।
ଭାରତ ଏବଂ ଚୀନ ବିବାଦର ସମାଧାନ ପାଇଁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ପୁଟିନ୍ ଆଶା ବ୍ୟକ୍ତ କରିଛନ୍ତି। ପିଟିଆଇକୁ ଦେଇଥିବା ଭର୍ଚୁଆଲ୍ ସାକ୍ଷାତକାରରେ ପୁଟିନ୍ କହିଛନ୍ତି, ‘ ହଁ ମୁଁ ଜାଣିଛି ଭାରତ ଏବଂ ଚୀନ ମଧ୍ୟରେ କିଛି ପ୍ରସଙ୍ଗ ରହିଛି। ପଡ଼ୋଶୀ ଦେଶ ମଧ୍ୟରେ ପ୍ରାୟ ଏମିତି ହୁଏ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ବ୍ୟବହାର ସମ୍ପର୍କରେ ଜାଣିଛି। ଏମାନେ ବହୁ ଦାୟିତ୍ବବାନ ନେତା। ପରଷ୍ପର ଅତ୍ୟନ୍ତ ଭଦ୍ରତାର ସହ ଆଲୋଚନା କରନ୍ତି। ମୋତେ ବିଶ୍ବାସ ରହିଛି କୌଣସି ପ୍ରକାର ସମସ୍ୟାର ସମାଧାନ ପର୍ଯ୍ୟନ୍ତ ପହଞ୍ଚିପାରିବେ।’
ତୃତୀୟ ଦେଶର ମଧ୍ୟସ୍ଥତାକୁ ନାପସନ୍ଦ କରିବା ସହ ପୁଟିନ୍ କହିଛନ୍ତି, କୌଣସି ତୃତୀୟ ପକ୍ଷ ଦୁଇ ଦେଶ ମଧ୍ୟରେ ଦଖଲ ଦେବା ଅନୁଚିତ। ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଚାଲିଥିବା ବେଳେ ପୁଟିନ୍ ଏହି ମନ୍ତବ୍ୟ ଦେଇଛନ୍ତି। ଗତବର୍ଷ ଜୁନରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ବେଳେ ଅନେକ ଆଲୋଚନା ପରେ ବି ଏବେ ଯାଏ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ହୋଇନାହିଁ। ତେବେ ପୁଟିନ୍ ଆହୁରି ମଧ୍ୟ କହିଛନ୍ତି, ଋଷ ଭାରତ ସହ ରହିଥିବା ବେଳେ ମସ୍କୋ ଏବଂ ବେଜିଂ ମଧ୍ୟରେ କୌଣସି ବିରୋଧାଭାଷ ନାହିଁ। ଭାରତ ଏବଂ ଋଷର ସମ୍ପର୍କ ବିଶ୍ବାସ ଉପରେ ଆଧାରିତ।











