ଦିଲ୍ଲୀରେ ଅକ୍ସିଜେନ ଅଭାବ ଯୋଗୁ ମୃତ୍ୟୁର ହେବ ଯାଞ୍ଚ, କମିଟି ଗଠନ କଲେ ସରକାର

ନୂଆଦିଲ୍ଲୀ, (ଓଡିଶା ଟାଇମ୍): କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହର ରାଜଧାନୀ ଦିଲ୍ଲୀରେ ଆତଙ୍କ ରଚିଥିଲା। ହସ୍ପିଟାଲରେ ବେଡ ଓ ଅକ୍ସିଜେନ ଅଭାବ ଯୋଗୁ ଅନେକ ଆକ୍ରାନ୍ତ ଚିକିତ୍ସା ସେବା ନପାଇ ପ୍ରାଣ ହରାଇଥିଲେ। ତେବେ ଦିଲ୍ଲୀ ହସ୍ପିଟାଲମାନଙ୍କରେ ଅକ୍ସିଜେନ ଅଭାବରୁ ହୋଇଥିବା ମୃତ୍ୟୁର ସରକାର ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିଲାଗି ସରକାର ଏକ ୪ ସଦସୀୟ କମିଟି ଗଠନ କରିଥିବା ବେଳେ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ମଞ୍ଜୁରି ଲାଗି ଫାଇଲ ପଠାଯାଇଛି। ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଶୁକ୍ରବାର ଗଣମାଧ୍ୟକୁ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଯଦି ଅକ୍ସିଜେନ ଅଭାବରୁ କୌଣସି ମୃତ୍ୟୁର ପ୍ରମାଣ ମିଳେ ତେବେ ପୀଡ଼ିତ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ୫ଲକ୍ଷ ଟଙ୍କାର   ଆର୍ଥିକ ସହାୟତା ପ୍ରଦାନ କରାଯିବ। ସିସୋଦିଆ କହିଛନ୍ତି ଯେ ରାଜଧାନୀ ଦିଲ୍ଲୀରେ କରୋନା ଦ୍ୱିତୀୟ ଲହର କାଳରେ କେତେକ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ଲୋକଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ମିଳିଥିଲା।ଏଣୁ ଏଭଳି ମୃତ୍ୟୁ ମାମଲାର ସରକାର ତଦନ୍ତ ଲାଗି ନିଷ୍ପତ୍ତି ନେଇଥିବା ସିସୋଦିଆ କହିଛନ୍ତି।

ସିସୋଦିଆ କହିଛନ୍ତି ଯେ ଯେଉଁମାନେ ଅକ୍ସିଜେନ ଅଭାବରୁ ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ କେବଳ ସେହି ମାମଲାଗୁଡିକର କମିଟି ଯାଞ୍ଚ କରିବେ। ଏ ନେଇ କମିଟି ଗଠନ ସମ୍ପର୍କିତ ଫାଇଲ ଏଲଜିଙ୍କ ନିକଟକୁ ପଠାଯାଇଛି। ଫାଇଲ ଫେରିଲେ କମିଟି ତଦନ୍ତ ଆରମ୍ଭ କରିବେ ବୋଲି ସିସୋଦିଆ କହିଛନ୍ତି। କମିଟି ସପ୍ତାହରେ ୨ ଥର ବୈଠକ କରିବେ ଓ ପ୍ରତ୍ୟେକ ଅଭିଯୋଗର ତନ୍ନ ତନ୍ନ ଯାଞ୍ଚକରିବେ। ଏଥିରେ ଯେଉଁ କ୍ଷେତ୍ରରେ ଅକ୍ସିଜେନ ଅଭାବ କାରଣରୁ ରୋଗୀଙ୍କ ମୃତ୍ୟୁ ହୋଇଥିବାର ପ୍ରମାଣ ମିଳିବ ସେଠାରେ ମୃତକଙ୍କ ପରିଜନଙ୍କ ଲାଗି ରାଜ୍ୟ ସରକାର କ୍ଷତିପୂରଣ ଲାଗି ପଦକ୍ଷେପ ନେବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *