୭-୮ ଦିନରେ ଓଡିଶା ଛୁଇଁବ ମୌସୁମୀ !

ଭୁବନେଶ୍ବର, (ଓଡିଶା ଟାଇମ୍): କେରଳରେ ପାଦ ଥାପିଛି ଦକ୍ଷିଣ-ପଶ୍ଚିମ ମୌସୁମୀ । ଦକ୍ଷିଣ କେରଳରେ ମୌସୁମୀ ପ୍ରବେଶ କରିଥିଲେ ମଧ୍ୟ ବର୍ଷା ପରିମାଣ ଅପେକ୍ଷାକୃତ କମ୍‌ ରହିଛି । ଗୁରୁବାର ସକାଳୁ ବର୍ଷା ପ୍ରକୋପ କମିଛି । ଦକ୍ଷିଣ-ପୂର୍ବ ଆରବ ସାଗରରେ ଘୂର୍ଣ୍ଣିବଳୟ ଥିବାରୁ ପଶ୍ଚିମ ଦିଗରୁ ପବନ ବାଧାପ୍ରାପ୍ତ ହେଉଛି । ଏଥିଯୋଗୁ ମୌସୁମୀ ପ୍ରବାହ ତ୍ୱରାନ୍ୱିତ ନଥିବାରୁ ବର୍ଷା କମ୍‌ ରହିଛି । ଓଡ଼ିଶା ପାଇଁ ଭଲ ଖବର ହେଲା, ଏଥର ମୌସୁମୀ ଡେରି କରିବନି। ସ୍ୱାଭାବିକ ସମୟ କିମ୍ବା ସାମାନ୍ୟ ଆଗୁଆ ଆସିପାରେ । ଆଗାମୀ ୭-୮ ଦିନ ଭିତରେ ଓଡ଼ିଶା ଛୁଇଁପାରେ ମୌସୁମୀ । ଅର୍ଥାତ୍‌ ରଜ ପୂର୍ବରୁ ମୌସୁମୀ ଓଡ଼ିଶା ପହଞ୍ଚିବା ସମ୍ଭାବନା ଅଧିକ ।

ପାଣିପାଗ ବିଭାଗ ଆକଳନ କରୁଛି, ଓଡ଼ିଶାରେ ଏ ବର୍ଷ ସ୍ୱାଭାବିକ ସମୟରେ ମୌସୁମୀ ପହଞ୍ଚିବ । ସମ୍ଭବତଃ ରଜ ପୂର୍ବରୁ (୧୦ରୁ ୧୨ ତାରିଖ ଭିତରେ) ମୌସୁମୀ ଓଡ଼ିଶା ଉପକୂଳ ଛୁଇଁବ । ଓଡ଼ିଶାକୁ ମୌସୁମୀ ଆଣିବାରେ ସହାୟକ ହେବ ଲଘୁଚାପ । ଅନୁମାନ କରାଯାଉଛି, ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ୧୦ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ଘନୀଭୂତ ବି ହୋଇପାରେ । ଏହା ଓଡ଼ିଶାକୁ ମୌସୁମୀ ବର୍ଷା ନେଇ ଆସିବା ସମ୍ଭାବନା ଅଛି ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ପ୍ରଥମେ ସମ୍ଭାବ୍ୟ ଲଘୁଚାପ ବାବଦରେ ପୂର୍ବାନୁମାନ କରିଥିଲେ । ତାଙ୍କ କହିବାନୁଯାୟୀ ଆସନ୍ତା ୧୦ ତାରିଖରେ ଘୂର୍ଣ୍ଣିବଳୟ ଓ ପରେ ଲଘୁଚାପ କ୍ଷେତ୍ର ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ସ୍ଥଳଭାଗରେ ସୃଷ୍ଟି ହୋଇପାରେ । ପ୍ରାଥମିକ ଆକଳନରୁ ଜଣାପଡ଼ୁଛି, ଜୁନ୍‌ ୧୦ରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ । ୧୧ରେ ବର୍ଷା ବଢ଼ିବ । ଏହାସହ ପଶ୍ଚିମ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ୧୨ରେ ବର୍ଷା ବଢ଼ିବ । ସାରା ରାଜ୍ୟରେ ଏହି ସମୟରେ ବର୍ଷା ସମ୍ଭାବନା ଅଛି । କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ରାଜ୍ୟରେ ହାରାହାରି ୭୫ ମିଲିମିଟରରୁ ୧୦୦ ମିମି ବର୍ଷା ହୋଇପାରେ । ଏହି ଲଘୁଚାପ ହିଁ ୧୧ ତାରିଖବେଳକୁ ଓଡ଼ିଶାକୁ ମୌସୁମୀ ଟାଣି ଆଣିବ । ଯଦି ଏମିତି ହୁଏ, କେରଳ ଛୁଇଁବାର ୭-୮ ଦିନ ଭିତରେ ଓଡ଼ିଶାରେ ପ୍ରବେଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ ।

Leave a Reply

Your email address will not be published. Required fields are marked *