ସମ୍ବଲପୁରରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା, କାର୍ଯ୍ୟକ୍ଷମ ହେବ ୧୦୦ ଶଯ୍ୟା ବିଶିଷ୍ଟ କରୋନା ହସ୍ପିଟାଲ
ସମ୍ବଲପୁର,(ଓଡିଶା ଟାଇମ୍): ସମ୍ବଲପୁର ଗୋଲବଜାର ଅଞ୍ଚଳରେ କାର୍ଯ୍ୟକ୍ଷମ ହେବ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲ । ସ୍ପର୍ଶ ସିଟି ହସ୍ପିଟାଲରେ ଏହା କାର୍ଯ୍ୟକ୍ଷମ ହେବ । ଏହାକୁ ପରିଚାଳନା କରିବ ବରଗଡ଼଼ ବିକାଶ ହସ୍ପିଟାଲ । ସମ୍ବଲପୁରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏହି ସୂଚନା ଦେଇଛନ୍ତି ।
ତେବେ ଆସନ୍ତା ଜୁନ ୧୫ରୁ ୨୦ ଭିତରେ ଏହା କାର୍ଯ୍ୟକାରୀ ହେବ | ଏଥି ପାଇଁ ଏମସିଏଲ ପକ୍ଷରୁ ବ୍ୟୟ ବରାଦ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ତେବେ ଅତିଶୀଘ୍ର ଅନୁଗୁଳରେ ମଧ୍ୟ ଜେଏସପିଏଲ ଦ୍ବାରା ଏକ କୋଭିଡ ହସ୍ପିଟାଲ କାର୍ଯ୍ୟକାରୀ ହେବ । ଏନେଇ ଆଜି ସମ୍ବଲପୁର ସିଡିଏମଓ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ହୋଇଥିଲା । ଏହା ସହ ରାଜ୍ୟରେ ବର୍ତ୍ତମାନ ୩୦ ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିବାବେଳେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।











