ରୋମାଣ୍ଟିକ୍ ଟ୍ରିପରେ ଯାଇ ଧରାପଡ଼ିଲେ କି ମେହୁଲ ଚୋକସି ? ଖୁଲାସା କଲେ ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ଓଡିଶା ଟାଇମ୍):ପିଏନବି ବ୍ୟାଙ୍କ ମହାଦୁର୍ନୀତି ମାମଲାର ଅନ୍ୟତମ ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକସି ଡୋମିନିକାରୁ ଗିରଫ ହେବା ପରେ ଅନେକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଆଣ୍ଟିଗୁଆର ପ୍ରଧାନମନ୍ତ୍ରୀ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ଡୋମିନିକାରେ ମେହୁଲ ଚୋକସି ଗାର୍ଲଫ୍ରେଣ୍ଡ ଚକ୍କରରେ ଧରା ପଡିଛି। ଆଣ୍ଟିଗୁଆର ନାଗରିକତା ଗ୍ରହଣ କରି ସାରିଥିବା ମେହୁଲ ଚୋକସି ନିକଟରେ ଗାଏବ ହୋଇ ଯାଇଥିଲେ। ଏହା ପରେ ଡୋମିନିକାରେ ପୋଲିସ ହାତରେ ଧରା ପଡିଥିଲେ। ଗତ ରାତିର ଚୋକସିଙ୍କ ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା। ଏଥିରେ ସେ ଜେଲ୍ ହାଜତରେ ରହିଥିବା ଏବଂ ତାଙ୍କ ହାତରେ ଆଘାତର ଚିହ୍ନ ସହ ଆଖି ଲାଲ ଦେଖା ଯାଉଥିଲା।
ଆଣ୍ଟିଗୁଆ ନ୍ୟୁଜ୍ ରୁମ୍ ଅନୁଯାୟୀ, ଆଣ୍ଟିଗୁଆ ଓ ବାରବୁଡାର ପ୍ରଧାନମନ୍ତ୍ରୀ ଗେଷ୍ଟନ ବାଉନ କହିଛନ୍ତି, ବୋଧହୁଏ ମେହୁଲ ଚୋକସି ନିଜ ପ୍ରେମିକା ସହ ଡୋମିନିକା ରୋମାଣ୍ଟିକ ଟ୍ରିପରେ ଯାଇଥିଲେ। ପ୍ରେମିକା ଚକ୍କରରେ ସେ ଡୋମିନିକାରୁ ଗିରଫ ହୋଇଛନ୍ତି। ଏହା ପୂର୍ବରୁ ବ୍ରାଉନ କହିଥିଲେ, ଭାରତ ମେହୁଲ ଚୋକସିର ପ୍ରତ୍ୟର୍ପଣ ଦସ୍ତାବିଜ ସହ ଏକ ଘରୋଇ ବିମାନକୁ ଡୋମିନିକା ପଠାଇଛି। କିନ୍ତୁ ଭାରତୀୟ ଅଧିକାରୀ ଏହି ବିଷୟରେ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦେଇ ନାହାନ୍ତି।
ସୂଚନାଯୋଗ୍ୟ, ଚୋକସି ଓ ତାଙ୍କ ଭଣଜା ନିରବ ମୋଦୀ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩,୫୦୦ କୋଟି ଟଙ୍କା ନେଇ ଫେରସ୍ତ ନକରି ଭାରତରୁ ଫେରାର ହୋଇ ଯାଇଛନ୍ତି। ନିବର ମୋଦୀ ବର୍ତ୍ତମାନ ଲଣ୍ଡନର ଏକ ଜେଲ୍ରେ ବନ୍ଦୀ ରହିଛି ଏବଂ ଭାରତ ପ୍ରତ୍ୟର୍ପିତ ବିରୋଧରେ ମୋକଦ୍ଦମା ଲଢୁଛି। ଚୋକସି ୨୦୧୭ରେ ଆଣ୍ଟିଗୁଆ ଓ ବାରବୁଡାର ନାଗରିକତା ଗ୍ରହଣ କରିଥିଲେ। ୨୦୧୮ ଜାନୁଆରୀ ପ୍ରଥମ ସପ୍ତାହରେ ଭାରତରୁ ଫେରାର ହୋଇ ଯାଇଥିଲା। ଏହା ପରେ ହିଁ ପଞ୍ଜାବ ନ୍ୟାସନାଲ ଘୋଟାଲା ସାମ୍ନାକୁ ଆସିଥିଲା। ସିବିଆଇ ଓ ଇଡି ଏହି ମାମଲାର ତଦନ୍ତ ଜାରି ରଖିଛନ୍ତି।











