ମୁସ୍କିଲ ସମୟରେ ଭାରତର ସାହାଯ୍ୟକୁ ଆମେ କେବେ ବି ଭୁଲି ପାରିବୁ ନାହିଁ: ଆମେରିକା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ପାଞ୍ଚ ଦିନିଆ ଆମେରିକା ଗସ୍ତରେ ଥିବା ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଶନିବାର ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲୟଡ ଅଷ୍ଟିନ ଓ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଛନ୍ତି। ପେଣ୍ଟାଗନରେ ହୋଇଥିବା ସାକ୍ଷାତରେ ଜୟଶଙ୍କର ଦୁଇ ମନ୍ତ୍ରୀଙ୍କ ସହ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଜାନୁଆରୀ ୨୦ରେ ଜୋ ବାଇଡେନ ରାଷ୍ଟ୍ରପତି ହେବା ପରେ ଆମେରିକା ଗସ୍ତ କରିବାରେ ଜୟଶଙ୍କର ପ୍ରଥମ ଭାରତୀୟ ମନ୍ତ୍ରୀ।

ବୈଠକ ପରେ ଅଷ୍ଟିନ ଟ୍ଵିଟ୍ କରିଛନ୍ତି ଯେ, ବୈଦେଶିକ ମନ୍ତ୍ରୀ ଡ.ଏସ ଜୟଶଙ୍କରଙ୍କ ସହ ତାଙ୍କର ସାକ୍ଷାତ ବହୁତ ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିଲା। ମାର୍ଚ୍ଚ ମାସରେ  ଭାରତ ଗସ୍ତରେ ସେ ମୋତେ ବହୁତ ଭଲ ଆତିଥ୍ୟ ପ୍ରଦାନ କରିଥିଲେ। ଆଜି ତାଙ୍କୁ ସେହି ଆତିଥ୍ୟ ଦେବାର ସୌଭାଗ୍ୟ ମୋତେ ମିଳିଛି। ଭାରତର ପ୍ରତିରକ୍ଷା ବିଭାଗ ସହ ଆମର ପ୍ରଗାଢ ସଂପର୍କ ରହିଛି। ଦୁଇ ଦେଶ ଏକାଠି ମିଶି ଭାରତ-ପ୍ରଶାନ୍ତ ମହାସାଗରେ ଏକ ମୁକ୍ତ ଏବଂ ଅବାଧ ଯାତାୟାତ ପରିବହନ ଦିଗରେ  କାମ କରି ଚାଲିବେ।

ସେଠାରେ ଆମେରିକା ବୈଦେଶିକ ମନ୍ତ୍ରୀ ବ୍ଲିନକେନ୍‌ଙ୍କୁ ଜୟଶଙ୍କର ସାକ୍ଷାତ କରି କରୋନା ସମୟରେ ଭାରତକୁ ସହାୟତା ପାଇଁ ବାଇଡେନ୍‌ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି। ଏହାପରେ ବ୍ଲିନକେନ୍ ମଧ୍ୟ ଭାରତକୁ ପ୍ରଶଂସା କରି ପୂର୍ବ ସହାୟତା କଥା ମନେ ପକାଇଥିଲେ। ସେ କହିଥିଲେ ଯେ କରୋନା ପ୍ରଥମ ଲହରରେ ଭାରତ ଆମ ପଛରେ ଛିଡ଼ା ହୋଇଥିଲା। ଏଥିପାଇଁ ମୁସ୍କିଲ ସମୟରେ  ଭାରତର ସହାୟତାକୁ ଆମେ କଦାପି  ଭୁଲିବୁ ନାହିଁ ବୋଲି କହିଛନ୍ତି। ତେଣୁ ଆମେ ବର୍ତ୍ତମାନ ଏହା ଜଣାଇ ଦେବାକୁ ଚାହୁଁଛୁ ଯେ ଆମେ ମଧ୍ୟ ଭାରତ ପାଇଁ ଅଛୁ ଓ ଭାରତ ସହିତ ରହିଛୁ ବୋଲି କହିଛନ୍ତି ଆମେରିକା ବିଦେଶ ମନ୍ତ୍ରୀ।

ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଏସ୍ ଜୟଙ୍କର କହିଛନ୍ତି ଯେ ଆମେରିକା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। କିଛି ବର୍ଷ ହେବ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଦୃଢ଼ ହୋଇଛି। ବ୍ଲିନକେନ କହିଛନ୍ତି, ଯେ ବର୍ତ୍ତମାନ ସମୟରେ ଆମେରିକା ଓ ଭାରତ ମିଳିମିଶି ଅନେକ ଚ୍ୟାଲେଞ୍ଜକୁ ସାମ୍ନା କରୁଛନ୍ତି। କରୋନାକୁ ହରାଇବାକୁ ଆମେ ଏକାଠୀ ହୋଇଛୁ। ଆମେରିକା ଓ ଭାରତ ମଧ୍ୟରେ ସମ୍ପର୍କ ଅତି ଗୁରୁତ୍ୱପୂର୍ଣ୍ଣ, ମଜଭୁତ ରହିଛି। ଏବଂ ଏହା ଆଗକୁ ଫଳପ୍ରଦ ହେବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *