ଜୁନ ୧ରୁ ମହଙ୍ଗା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଆସନ୍ତା ଜୁନ ୧ ତାରିଖରୁ ବିମାନ ଯାତ୍ରା ମହଙ୍ଗା ହେବ। ଭାରତ ମଧ୍ୟରେ କୌଣସି ସ୍ଥାନକୁ ଯାତ୍ରା କଲେ ଯାତ୍ରୀଙ୍କୁ ପୂର୍ବାପେକ୍ଷା ଅଧିକ ଭଡ଼ା ଦେବାକୁ ପଡ଼ିବ। କେନ୍ଦ୍ର ସରକାର ବିମାନ ଭଡ଼ା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବାବେଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସର୍ବନିମ୍ନ ସୀମାର ଯାତ୍ରା ଉପରେ ୧୩ରୁ ୧୬ ପ୍ରତିଶତ ପର୍ଯ୍ୟନ୍ତ ଭଡ଼ା ବୃଦ୍ଧି କରିଛି। ଏ ନେଇ ସରକାରଙ୍କ ପକ୍ଷରୁ ଏକ ଆଦେଶନାମା ଜାରି ହୋଇଛି।

ଆସନ୍ତା ୧ ତାରିଖରୁ ବର୍ଦ୍ଧିତ ଭଡ଼ା ଲାଗୁ କରାଯିବ। ତେବେ ଉଚ୍ଚ ସୀମାର ଯାତ୍ରା ଭଡ଼ା ଅପରିବର୍ତ୍ତିତ ରହିଛି। କରୋନାର ୨ୟ ତରଙ୍ଗରେ ବିମାନ କମ୍ପାନୀଗୁଡ଼ିକ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବାରୁ ସେମାନଙ୍କୁ ସହାୟତା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଆଦେଶନାମା ଅନୁସାରେ, ୪୦ ମିନିଟର ବିମାନ ଯାତ୍ରା ପାଇଁ ସର୍ବନିମ୍ନ ସୀମାରେ ବିମାନ ଭଡ଼ା ୨୩୦୦ ଟଙ୍କାରୁ ୨୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଯାହା ପୂର୍ବ ଭଡ଼ା ତୁଳନାରେ ୧୩ ପ୍ରତିଶତ ଅଧିକ। ସେହିପରି ୪୦ରୁ ୬୦ ମିନିଟର ଯାତ୍ରା ପାଇଁ ସର୍ବନିମ୍ନ ସୀମାରେ ବିମାନ ଭଡ଼ା ୨୯୦୦ ଟଙ୍କାରୁ ୩୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

Leave a Reply

Your email address will not be published. Required fields are marked *