ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା

ଭୁବନେଶ୍ବର, (ଓଡିଶା ଟାଇମ୍): ବାତ୍ୟା ‘ୟସ୍’ ଜନିତ ବର୍ଷା ପାଇଁ ଉଛୁଳୁଛି ସୁବର୍ଣ୍ଣରେଖା ନଦୀ। ବାଲେଶ୍ୱର ଜିଲ୍ଲା ଜାମଶୋଳାଘାଟ ଠାରେ ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ଟପିଛି। ଜାମଶୋଳାଘାଟରେ ବିପଦ ସଙ୍କେତ ୪୯.୧୬ ମିଟର ଥିବା ବେଳେ ଏବେ ୫୦.୮୮ ମିଟର ଦେଇ ଜଳ ପ୍ରବାହିତ ହେଉଛି। ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସମ୍ଭାବ୍ୟ ବନ୍ୟା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା SRC କହିଛନ୍ତି।

ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ପରେ ଗାଲୁଡିହି ବ୍ୟାରେଜ୍ ଖୋଲା ଯାଇଛି। ଗାଲୁଡିହି ବ୍ୟାରେଜରେ ପାଣି ଯୋଗୁ ସୁବର୍ଣ୍ଣରେଖା ବିପଦ ସଙ୍କେତ ଟପିଛି। ସୁବର୍ଣ୍ଣରେଖା ନଦୀରେ ବନ୍ୟା ଜଳ ବୃଦ୍ଧି ପାଇବା ଆଶଙ୍କା କରି ପ୍ରଶାସନ ଲୋକଙ୍କୁ ସତର୍କ କରାଇଥିଲା। ଡାକବାଜି ଯନ୍ତ୍ର ସାହାଯ୍ୟରେ ନଦୀ କୂଳରେ ରହୁଥିବା ଲୋକମାନେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପ୍ରଶାସନ ଆଲର୍ଟ କରିଥିଲା।

ଭଦ୍ରକ ଜିଲ୍ଲା ଆଖୁଆପଦା ଠାରେ ବୈତରଣୀ ନଦୀର ଜଳସ୍ତର ଖସୁଛି। ଯଦିଓ ଜଳସ୍ତର କମିଛି, ହେଲେ ଏବେ ବି ବିପଦ ସଙ୍କେତ ଉପରେ ଜଳସ୍ତର ପ୍ରବାହିତ ହେଛି। ଆଖୁଆପଦା ଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବାବେଳେ ଏବେ ୧୮.୯୦ ମିଟର ଦେଇ ଜଳସ୍ତର ପ୍ରବାହିତ ହେଉଛି। ଏବେ ମଧ୍ୟ କିଛି ପଞ୍ଚାୟତ ପାଣି ଘେରରେ ଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *