ଝାରପଡା ଜେଲରେ କରୋନା ବିସ୍ଫୋରଣ, ୯୬ କଏଦୀ କୋଭିଡ୍ ପଜିଟିଭ୍
ଭୁବନେଶ୍ବର, (ଓଡିଶା ଟାଇମ୍):ଝାରପଡା ଜେଲରେ କରୋନା ବିସ୍ଫୋରଣ । ଭୁବନେଶ୍ୱର ଝାରପଡ଼ା ଜେଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ପୂର୍ବରୁ ଜେଲ ଅଧିକାରୀଙ୍କ ସହ ୧୧ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ବେଳେ ଗୁରୁବାର ପୁଣି ୯୬ କଏଦୀ କରୋନା ଆକ୍ରାନ୍ତ ହୋଇଥିବା ଜେଲ ବିଭାଗ ସୂଚନା ଦେଇଛି । ଏଭଳି ରିପୋର୍ଟ ମିଳିବା ପରେ ଅନ୍ୟ ଅନ୍ତେବାସୀଙ୍କ ସୁରକ୍ଷା ନେଇ ଜେଲ କର୍ତ୍ତୁପକ୍ଷଙ୍କ ଚିନ୍ତା ବଢିଛି । କାରାଗାର ପରିସରରେ ଥିବା ଏକ ବ୍ଲକକୁ ତୁରନ୍ତ ବିଶୋଧନ କରଯିବା ସହ ଏହାକୁ ସଙ୍ଗରୋଧ କେନ୍ଦ୍ର କରାଯାଇଛି । ଉକ୍ତ ବ୍ଲକର ୮ କୋଠରୀରେ ସଂକ୍ରମିତ ହୋଇଥିବା ନୂଆ ରୋଗୀଙ୍କୁ ଚିକିତ୍ସା କରାଯିବ । ଜେଲ ଡାକ୍ତର ଓ ଫାର୍ମାସିଷ୍ଟ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନିୟମିତ ଯାଞ୍ଚ କରିବା ସହ ଚିକିତ୍ସା ଦାୟିତ୍ୱରେ ରହିବେ ।
ସମସ୍ତ ସଙ୍ଗରୋଧ ଗୃହରେ ଅନ୍ୟୁନ ୧୨୮ ଜଣ ରୋଗୀଙ୍କୁ ରଖାଯିବାର ବ୍ୟବସ୍ଥା ରହିଛି ହୋଲି ଜଣେ ଅଧିକାରୀ କହିଛନ୍ତି । କୌଣସି ରୋଗୀ ଗୁରୁତର ହେଲେ ତୁରନ୍ତ ତାଙ୍କୁ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯିବ । ଅନ୍ୟପକ୍ଷରେ ହଠାତ ଏତେ ସଂଖ୍ୟକ କଏଦୀଙ୍କୁ କରୋନା ପରେ ଜେଲରେ ସାନିଟାଇଜ ବ୍ୟବସ୍ଥା ଓ ଶାରୀରିକ ଦୂରତା କଡ଼ାକଡ଼ି କରିବା ସହ ଇ-ମୁଲାକାତ୍ ଉପରେ ଗୁରୁତ୍ୱ ଦେବାକୁ କାରାଗାର ବିଭାଗ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛି ।
ସୂଚନା ଥାଉ କି, ଝାରପଡା ଜେଲରେ ସଜ୍ଜା କାଟୁଥିବା ଜଣେ କଏଦୀଙ୍କ କରୋନାରେ ମୃତ୍ୟୁ ପରେ ଗତ ୧୮ ତାରିଖରେ ୧୯୫ କଏଦୀଙ୍କ ସ୍ୱାବ ପରୀକ୍ଷା ପାଇଁ ପଠା ଯାଇଥିଲା । ସେଥିମଧ୍ୟରୁ ୯୬ କଏଦୀ କରୋନା ସଂକ୍ରମିତ ହୋଇଛନ୍ତି ।











