କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ : କୋଭିଡ୍ ସହ ଲଢି ହାରିଗଲେ ସୁନିଲ ଜୈନ
ନୂଆଦିଲ୍ଲୀ, (ଓଡିଶା ଟାଇମ୍):ବରିଷ୍ଠ ସାମ୍ବାଦିକ ତଥା ଫାଇନାନସିଆଲ ଏକ୍ସପ୍ରେସର ପରିଚାଳନା ସମ୍ପାଦକ ସୁନିଲ ଜୈନ ଶନିବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ କରୋନା ଭାଇରସରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ନେଇ ସୁନିଲଙ୍କ ଭଉଣୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସୁନିଲଙ୍କୁ ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ଭଉଣୀ ସନ୍ଧ୍ୟା ଟ୍ୱିଟ୍ କରି କହିଛନ୍ତି ଯେ, କରୋନା ପଜିଟିଭ୍ ହୋଇ ସେ ଓ ପରିବାର ଲୋକେ ସୁନିଲ ଜୈନଙ୍କୁ ସବୁଦିନ ପାଇଁ ହରାଇଛନ୍ତି । ଏମ୍ସର ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀ ତାଙ୍କୁ ବଞ୍ଚାଇବା ପାଇଁ ଅନେକ ପ୍ରଚେଷ୍ଟା କରିଥିଲେ । କିନ୍ତୁ କରୋନା ରାକ୍ଷସ ଅଧିକ ଶକ୍ତିଶାଳୀ ଭାବେ ଉଭା ହୋଇଥିଲା । ଭଗବାନ ତାଙ୍କ ଆତ୍ମାକୁ ସଦଗତି ଦିଅନ୍ତୁ । ଏହାସହ ଏହି କଠିନ ସମୟରେ ତାଙ୍କ ପରିବାର ସହ ରହିଥିବା ସମସ୍ତଙ୍କ ପ୍ରତି ସେ ଆଭାର ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବରିଷ୍ଠ ସାମ୍ବାଦିକଙ୍କ ନିଧନରେ ଶୋକ ପ୍ରକାଶ କରି ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି ଯେ, ସୁନିଲ ଜୈନ ବହୁତ ଶୀଘ୍ର ଆମକୁ ଛାଡି ଚାଲିଗଲେ । ସୁନିଲଙ୍କ ଆଲେଖ୍ୟ ଚମତ୍କାର ଓ ସ୍ପଷ୍ଟ ।ଯାହାକୁ ପ୍ରଧାନମନ୍ତ୍ରୀ ମନେ ପକାଇବେ ବୋଲି କହିଛନ୍ତି । ଏହାସହ ସୁନିଲଙ୍କ ଦେହାନ୍ତ ସାମ୍ବାଦିକତା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।