ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ ମମତା ବାନାର୍ଜୀ
କୋଲକାତା, (ଓଡିଶା ଟାଇମ୍): କରୋନା ସଂକଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି। ରାଜ୍ୟରେ କୋଭିଡ-୧୯ ଯୋଗୁ ଉପୁଜିଥିବା ପରିସ୍ଥିତିର ମୁକାବିଲା ଲାଗି ଜରୁରି ଔଷଧ ଏବଂ ଉପକରଣ ଆମଦାନୀ ଲାଗି ଶୁଳ୍କ ରିହାତି ପ୍ରଦାନ ନିମନ୍ତେ ନିବେଦନ କରିଛନ୍ତି। ସେହିପରି ରାଜ୍ୟରେ କରୋନା ମୁକାବିଲା ଲାଗି ଉପଲବ୍ଧ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ସାଙ୍ଗକୁ ସଂକ୍ରମିତଙ୍କ ଚିକିତ୍ସା ଲାଗି ଔଷଧ ଏବଂ ଅମ୍ଳଯାନ ଯୋଗାଣ ବୃଦ୍ଧି ଲାଗି ମଧ୍ୟ ମମତା ଦାବି କରିଛନ୍ତି।
ରାଜ୍ୟରେ ଉପୁଜିଥିବା ପରିସ୍ଥିତିରେ ସରକାରଙ୍କ ସହାୟତା ନିମନ୍ତେ ବିଭିନ୍ନ ସଙ୍ଗଠନ, ବ୍ୟକ୍ତି ଓ ପରୋପକାରୀ ସଂସ୍ଥାମାନେ ନିଜ ଆଡୁ ସରକାରଙ୍କୁ ସହାୟତାର ହାତ ବଢାଇଛନ୍ତି। ସେମାନେ ଅକ୍ସିଜେନ କନସେନଟ୍ରେଟରଟାରୁ ଆରମ୍ଭ କରି ସିଲିଣ୍ଡର, କ୍ରାୟୋଜେନିକ ଷ୍ଟୋରେଜ ଟ୍ୟାଙ୍କ ଏପରିକି କରୋନା ଭାଇରସ ଔଷଧ ମଧ୍ୟ ଯୋଗାଇ ଦେବାକୁ ଚାହାନ୍ତି। ଏଣୁ ରାଜ୍ୟରେ ଏଭଳି ସହଯୋଗ ଦେବାକୁ ଚାହୁଁଥିବା ସଂସ୍ଥାଙ୍କୁ ଜିଏସଟି ଓ କଷ୍ଟମ ଡ୍ୟୁଟି ଛାଡ କରିବା ଲାଗି ମମତା ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।
ଏଜେନ୍ସୀମାନେ ଏପରି ସାମଗ୍ରୀ ଉପରେ ଥିବା ଜିଏସଟି, ସିଜିଏସଟି ଏସଜିଏସଟି ଓ ଆଇଜିଏସଟି ରିହାତି କନସିଡର କରିବା ଲାଗି ପଶ୍ଚିମବଙ୍ଗ ସରକାରଙ୍କ ସହ ସମ୍ପର୍କ କରିଛନ୍ତି। ତେବେ ଏହି ସବୁ ସାମଗ୍ରୀର ଦର ସଂରଚନା କେନ୍ଦ୍ର ସରକାରଙ୍କ ଅନ୍ତର୍ଗତ ଥିବାରୁ ରାଜ୍ୟ ସରକାର ପ୍ରସଙ୍ଗରେ ଅସହାୟ ଅନୁଭବ କରୁଛନ୍ତି। ଏଣୁ ମମତା ଏପରି ସାମଗ୍ରୀକୁ ସମସ୍ତ କରରୁ ମୁକ୍ତ କରିବା ଲାଗି ନିବେଦନ କରିଛନ୍ତି।