ଆସନ୍ତା ୩ ଦିନ ଯାଏ ତାତିରେ ସିଝିବ ଓଡ଼ିଶା

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ବି ତାତିରେ ସିଝିବ ସାରା ଓଡ଼ିଶା। ଗତକାଲି ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହୋଇଥିବା ବେଳେ ଆଜି ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ହୋଇପାରେ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ହିଟ୍‌ୱେଭ୍‌ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହୋଇପାରେ।

ଗତକାଲି ୧୬ଟି ସହରରେ ପାରଦ ୪୦ ଡିଗ୍ରୀ ଟପିଥିଲା। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ଅନେକ ସହରରେ ରାସ୍ତାଘାଟ ଖାଁ ଖାଁ ହୋଇ ପଡ଼ିଥିଲା। ଗତକାଲି ବାରିପଦା ସହରରେ ଅଧିକ ତାତି ଅନୁଭୂତ ହୋଇଥିଲା। ସେଠାରେ ତାପମାତ୍ରା ୪୪. ୬ ଡିଗ୍ରୀ ରେକର୍ଡ କରାଯାଇଥିଲା। ତାଳଚେର, ବୌଦ୍ଧ, ଝାରସୁଗୁଡ଼ା, ବଲାଙ୍ଗିର, ଟିଟିଲାଗଡ଼, ଅନୁଗୁଳ, ସୋନପୁର, ନୟାଗଡ଼, ବାଲେଶ୍ୱର, ହୀରାକୁଦ, ସମ୍ବଲପୁର, ଭବାନୀପାଟଣା, ମାଲକାନଗିରି, ସୁନ୍ଦରଗଡ଼ ଓ କଟକରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।

ଚଳିତ ମାସ ଦ୍ୱିତୀୟ ସପ୍ତାହରେ ତାପମାତ୍ରା ହଠାତ୍ ବଢ଼ିଯିବା ପରେ ତୃତୀୟ ସପ୍ତାହରେ ସ୍ଥିତିରେ ସୁଧାର ଆସିଥିଲା। ମାତ୍ର ଏବେ ପୁଣି ବଢ଼ିଛି ସୂର୍ଯ୍ୟଦେବଙ୍କ କୋପ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର ଚିଠି ଲେଖିଛନ୍ତି। ଏଥିସହିତ ତାତିକୁ ନେଇ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *