ଏନଆଇଟି କ୍ୟାମ୍ପସ୍ ଛାଡ଼ିବାକୁ ପିଲାଙ୍କୁ ନିର୍ଦ୍ଦେଶ
ରାଉରକେଲା, (ଓଡିଶା ଟାଇମ୍) : ଏନଆଇଟି କ୍ୟାମ୍ପସ୍ ଛାଡ଼ିବାକୁ ପିଲାଙ୍କୁ ନିର୍ଦ୍ଦେଶ । ରାଉରକେଲା ଏନଆଇଟିର ୧୪ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ପରେ ଏନଆଇଟି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏପରି ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟ ପରେ ନେଗେଟିଭ ଚିହ୍ନଟ ହୋଇଥିବା ପିଲାଙ୍କୁ ହଷ୍ଟେଲ ଖାଲି କରିବାକୁ କୁହାଯାଇଛି । ତେବେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ପିଲା ହଷ୍ଟେଲରେ ରହିବେ ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ସେହିପରି ଆଜିଠାରୁ ବାକି ପିଲାଙ୍କର କୋଭିଡ୍ ଟେଷ୍ଟ ଲାଗି ବ୍ୟବସ୍ଥା କରାଯାଉଛି ବୋଲି ରାଉରକେଲା ଏନଆଇଟି ରେଜିଷ୍ଟ୍ରାର ପ୍ରଦୀପ କୁମାର ଦାଶ ସୂଚନା ଦେଇଛନ୍ତି ।
ଏବେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। ପ୍ରଥମେ କଟକ ଆଉ ତା’ପରେ ଭୁବନେଶ୍ୱର ଆଉ ଏବେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସେପଟେ ଭବାନୀପାଟଣା ପ୍ରଗତି କଲେଜରୁ ୩୨ କରୋନା ଆକ୍ରାନ୍ତ ଚିହ୍ନଟ ପରେ କଲେଜକୁ ଗତକାଲି କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି। କଳାହାଣ୍ଡି ଜିଲ୍ଲାପାଳ ପ୍ରଗତି କଲେଜକୁ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି । କଲେଜ ଭିତରକୁ ବାହାର ଲୋକଙ୍କ ପ୍ରବେଶ ଓ କଲେଜରୁ ବାହାରକୁ ଯିବା ଉପରେ କଟକଣା ଜାରି କରାଯାଇଛି ।











