BMCର ବର୍ଦ୍ଧିତ ହୋଲ୍ଡିଂ ଟିକସ ଆଦାୟ ସ୍ଥଗିତ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୁଣି ପୁରୁଣା ଦର ଲାଗୁ

ଭୁବନେଶ୍ବର, (ଓଡିଶା ଟାଇମ୍) :ବର୍ଦ୍ଧିତ ହୋଲ୍ଡିଂ ଟିକସ ଆଦାୟ ସ୍ଥଗିତ ରହିଲା । ବିଏମସି ପକ୍ଷରୁ ହୋଲ୍ଡିଂ ଟିକସ ବୃଦ୍ଧି ନିଷ୍ପତ୍ତି ସ୍ଥଗିତ ରଖାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏ ନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ହୋଲ୍ଡିଂ ଟିକସ ନେଇ ହାଇକୋର୍ଟରେ ମାମଲା ଚାଲିଛି । ମାମଲା ନସରିବା ଯାଏଁ ବର୍ଦ୍ଧିତ ଟିକସ ଆଦାୟ ହୋଇପାରିବନି । ପୁରୁଣା ଦରରେ ହୋଲ୍ଡିଂ ଟିକସ ଆଦାୟ ହେବ । ହାଇକୋର୍ଟଙ୍କ ରାୟ ନ ଆସିବା ଯାଏ ପୁରୁଣା ଦରରେ ଟିକସ ଆଦାୟ ହେବ ।

ବେଆଇନ ଭାବରେ ହୋଲ୍ଡିଂ ଟିକସ ବୃଦ୍ଧିକୁ ନେଇ କଂଗ୍ରେସର ପ୍ରତିବାଦ ପ୍ରସଙ୍ଗରେ ମତ ରଖିଥିଲେ ବିଏମସି ଅତିରିକ୍ତ କମିଶନର । ସେ କହିଥିଲେ ହୋଲ୍ଡିଂ ଟିକସ ବୃଦ୍ଧି ନେଇ ଆମେ ବାରମ୍ବାର ସ୍ପଷ୍ଟୀକରଣ ଦେଇସାରିଛୁ । ୨୦୧୯ରେ ବେଞ୍ଚ ମାର୍କ ଭାଲୁଏସନ ବହୁତ ବଢିଯାଇଛି । ସେଥିପାଇଁ ଲୋକମାନଙ୍କୁ ହୋଲ୍ଡିଂ ଟ୍ୟାକ୍ସ ଅଧିକ ହେଲା ଭଳି ଲାଗୁଛି । ହୋଲ୍ଡିଂ ଟିକସ ଆଧାରରେ କୌଣସି ଘରକୁ ସିଲ୍ କରିବା ପାଇଁ ନୋଟିସ୍ ହୋଇନାହିଁ । ଓଡିଶା ପବ୍ଲିକ୍ ଡିମାଣ୍ଡ ରିକୋଭରୀ ଆଇନ ଆଧାରରେ ଯେଉଁମାନଙ୍କର ୩ ବର୍ଷର ଟିକସ ଥିବ କିମ୍ବା ଅଧିକ ବକେୟ ଅର୍ଥ ରହିଥିବ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । କୋଭିଡ୍ ପୂର୍ବରୁ ଏହା ଉପରେ ନିଷ୍ପତ୍ତି ହୋଇଥିଲା । ଏବେ କୋର୍ଟରେ ଏହାର ମାମଲା ରହିଛି । କୋର୍ଟଙ୍କ ଯାହା ନିଷ୍ପତ୍ତି ଆସିବ ସେହି ଆଧାରରେ ବିଏମସି ପଦକ୍ଷେପ ନେବ ବୋଲି ବିଏମସି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକ କହିଥିଲେ ।

Leave a Reply

Your email address will not be published. Required fields are marked *