ମମତାଙ୍କ ଉପରେ ଆକ୍ରମଣ ହୋଇନି, ତାହା ଏକ ଦୁର୍ଘଟଣା ଥିଲା: ନିର୍ବାଚନ ଆୟୋଗ

କୋଲକାତା, (ଓଡିଶା ଟାଇମ୍) : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ହୋଇଥିବାର କୌଣସି ପ୍ରମାଣ ନାହିଁ ବୋଲି କହିଛନ୍ତି ନିର୍ବାଚନ ଆୟୋଗ। ଆକ୍ରମଣକୁ ନେଇ ପର୍ଯ୍ୟବେକ୍ଷକ ଏବଂ ମୁଖ୍ୟ ସଚିବଙ୍କ ରିପୋର୍ଟ ମିଳିବା ପରେ ଏ ସମ୍ପର୍କରେ ନିର୍ବାଚନ ଆୟୋଗ ପକ୍ଷରୁ ରବିବାର ବୈଠକ ବସିଥିଲା। ବୈଠକ ପରେ ମମତାଙ୍କ ଉପରେ ଆକ୍ରମଣ ଅଭିଯୋଗକୁ ନିର୍ବାଚନ ଆୟୋଗ ଖାରଜ କରିଛନ୍ତି। ନନ୍ଦୀଗ୍ରାମରେ ମମତାଙ୍କ ଉପରେ ଆକ୍ରମଣର କୌଣସି ପ୍ରମାଣ ନାହିଁ, ଏହା ଏକ ଦୁର୍ଘଟଣା ଥିଲା ବୋଲି ଆୟୋଗ କହିଛନ୍ତି।

ସୂଚନାନୁସାରେ, ମମତା ଆହତ ହେବା ମାମଲାରେ ରାଜ୍ୟ ମୁଖ୍ୟ ସଚିବ ଅଳାପନ ବନ୍ଦୋପାଧ୍ୟାୟ, ସ୍ୱତନ୍ତ୍ର ପୋଲିସ ଅଧିକ୍ଷକ ବିବେକ ଦୁବେ ଓ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଅଜୟ ନାୟକ ନିର୍ବାଚନ ଆୟୋଗଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଏହି ରିପୋର୍ଟ ଆଧାରରେ ମମତାଙ୍କୁ ଆକ୍ରମଣ ହୋଇଥିବା ନେଇ କୌଣସି ପ୍ରମାଣ ନଥିବା ସ୍ପଷ୍ଟ ହୋଇଥିଲା । ଶନିବାର ଏହି ଘଟଣାର ବିସ୍ତୃତ ରିପୋର୍ଟ ଆୟୋଗଙ୍କୁ ପ୍ରଦାନ କରାଯାଇଥିଲା । ସନ୍ଧ୍ୟାରେ ନିର୍ବାଚନ ଆୟୋଗଙ୍କୁ ରିପୋର୍ଟ ହସ୍ତଗତ ହୋଇଥିଲା । ସେ ଏହାକୁ ଅନୁଧ୍ୟାନ କରି ରବିବାର ଦିନରେ ବୈଠକ ଡାକି ଏହା ଉପରେ ଚର୍ଚ୍ଚା କରିଥିଲେ ।

ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଆଳାପନ ବନ୍ଦୋପାଧ୍ୟାୟ ନିର୍ବାଚନ ଆୟୋଗଙ୍କୁ ନିଜର ଯାଞ୍ଚ୍ ରିପୋର୍ଟ ପ୍ରଦାନ କରିଥିଲେ । ତେବେ ପର୍ବରୁ ସେ ପ୍ରଦାନ କରିଥିବା ରିପୋର୍ଟ ସ୍ପଷ୍ଟ ନଥିବାରୁ ତାଙ୍କୁ ଆଉ ଥରେ ପ୍ରଦାନ କରିବାକୁ କୁହାଯାଇଥିଲା । ପୂର୍ବରୁ ସେ ଦେଇଥିବା ରିପୋର୍ଟରେ ଘଟଣା ପଛର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିଲା । ଏପରିକି ଘଟଣା କେଉଁଠି ଓ କିପରି ହୋଇଥିଲା ତାହା ମଧ୍ୟ ଏଥିରେ ଉଲ୍ଲେଖ ନଥିଲା ।

ତେବେ ଭିନ୍ନ ଭିନ୍ନ ରିପୋର୍ଟ ଉପରେ ସମୀକ୍ଷା କରିବା ପରେ ଆୟୋଗ ନିଷ୍କର୍ସରେ ପହଁଚିଥିଲେ । ମମତାଙ୍କୁ ଯେଉଁ ଆଘାତ ଲାଗିଛି ତାହା କୌଣସି ଆକ୍ରମଣ ନୁହେଁ ବୋଲି କହିଥିଲେ । କିନ୍ତୁ ମମତା ପୂର୍ବରୁ ଏହି ଆକ୍ରମଣ ଜାଣିଶୁଣି କରାଯାଇଥିବା ଅଭିଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *