ନୂଆ ଢାଞ୍ଚାରେ ତିଆରି ହେବ ବାରବାଟୀ ପିଚ୍

କଟକ, (ଓଡିଶା ଟାଇମ୍) :ବର୍ଷା ଯୋଗୁଁ ବାରବାଟୀରେ ଆଉ ବାତିଲ ହେବ ନାହିଁ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ । ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ତଥା ଫିଲ୍ଡକୁ ମ୍ୟାଚ ଉପଯୋଗୀ କରିବା ପାଇଁ ଓସିଏ ଆରମ୍ଭ କରିଛି ନୂଆ ପ୍ରୟାସ । ସଂପୂର୍ଣ୍ଣ ନୂଆ ଢାଞ୍ଚାରେ ଆରମ୍ଭ ହୋଇଛି ବାରବାଟୀ ଗ୍ରାଉଣ୍ଡ ମରାମତି । ପୂରା ଫିଲ୍ଡକୁ ବାଲିରେ ପୋତାଯାଇ ତିଆରି କରାଯାଉଛି । ଏଥିପାଇଁ ପିଚ୍ କ୍ୟୁରେଟରଙ୍କୁ ନେଇ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଟ୍ରେନିଂ ।

୧୯୯୬ ଅକ୍ଟୋବର ୨୭ ବର୍ଷା ଯୋଗୁଁ ବାରବାଟୀରେ ବାତିଲ ହୋଇଥିଲା ଭାରତ-ଅଷ୍ଟ୍ରେଲିଆ ଓ୍ୱାନଡେ ମ୍ୟାଚ। ୨୦୧୩ ଅକ୍ଟୋବର ୨୬ରେ ପୁଣିଥରେ ବାରବାଟୀରେ ଉଭୟ ଟିମ୍ ମଧ୍ୟରେ ଓ୍ୱାନଡେ ମ୍ୟାଚ ଖେଳାଯିବାକୁ ଥିବାବେଳେ ବାଧକ ସାଜିଥିଲା ବର୍ଷା। ଫଳରେ ମ୍ୟାଚଟି ସଂପୂର୍ଣ୍ଣ ବାତିଲ ହୋଇଥିଲା । ଏଭଳି ସମସ୍ୟା ଦୂର କରିବା ପାଇଁ ଏବେ ବାରବାଟୀ ଷ୍ଟାଡିୟମରେ ନୂଆ ଟେକ୍ନୋଲୋଜି ଦ୍ୱାରା ତିଆରି ହେଉଛି ଆଉଟ ଫିଲ୍ଡ । ଫିଲ୍ଡକୁ ଖୋଳାଯାଇ ମାଟି ବାହାର କରାଯାଉଛି । ବାଲିରେ ପୋତି ତିଆରି ହେବ ନୂଆ ଗ୍ରାଉଣ୍ଡ । ୮ ଇଞ୍ଚ ବାଲି ପୋତାଯାଇ ତା ଉପରେ ପୁଣି ମାଟି ଦିଆଯାଇ ତିଆରି ହେବ ଗ୍ରାଉଣ୍ଡ । ବିସିସିଆଇର ନୂଆ ଗାଇଡଲାଇନ ଅନୁଯାୟୀ ଏଭଳି ଫିଲ୍ଡ ତିଆରି କରାଯାଉଛି । ସେଥିପାଇଁ ଓସିଏରେ ଗ୍ରାଉଣ୍ଡସ ମ୍ୟାନ ଓ ପିଚ କ୍ୟୁରେଟରଙ୍କୁ ପ୍ରଶିକ୍ଷିତ କରାଯାଉଛି।

କେବଳ ବାରବାଟୀ ନୁହେଁ, ରାଜ୍ୟର ପ୍ରତି ଜିଲ୍ଲାରେ ଏଭଳି ଗ୍ରାଉଣ୍ଡ ତିଆରି କରିବାକୁ ଯୋଜନା କରିଛି ଓସିଏ । ପୂର୍ବତନ କ୍ରିକେଟରଙ୍କ ମତରେ ଦେଶରେ ଏବେ କିଛି ଷ୍ଟାଡିୟମ ଏଭଳି ଗ୍ରାଉଣ୍ଡ ତିଆରି କରିଛନ୍ତି । ଓସିଏର ଏଭଳି ପଦକ୍ଷେପ ଯୋଗୁଁ ଲାଭବାନ ହେବେ କ୍ରିକେଟର ।

Leave a Reply

Your email address will not be published. Required fields are marked *