ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
ସମ୍ବଲପୁର, (ଓଡିଶା ଟାଇମ୍) :ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଗତ ମାସରେ ଏକାଥରକେ ୪୦ରୁ ଅଧିକ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହି ଘଟଣା ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି କରିଥିଲା। ଘଟଣା ପରେ ଖୋଦ୍ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ ଉକ୍ତ କିଟ୍ଗୁଡ଼ିକୁ ତ୍ରୁଟିପୂର୍ଣ୍ଣ ରହିଥିବାରୁ ଭୁଲ ରିପୋର୍ଟ ବାହାରିଥିବା କହିଥିଲେ । ମାତ୍ର ଯେଉଁ ୨ଟି ବ୍ୟାଚ୍ର ଆଣ୍ଟିଜେନ୍ କିଟ୍ ତ୍ରୁଟିପୂର୍ଣ୍ଣ ଥିବା ନେଇ କୁହାଯାଇଥିଲା, ପ୍ରକୃତରେ ସେଗୁଡ଼ିକ ଠିକ୍ ଥିଲା ବୋଲି କିଟ୍ ଯୋଗାଣକାରୀ କମ୍ପାନି ନୂଆଦିଲ୍ଲୀର ଓସ୍କାର ମେଡିସିନ୍ ପ୍ରାଇଭେଟ୍ ଲିମିଟେଡ୍ ଦାବି କରିଛି ।
କମ୍ପାନିର ଡେମୋ ଟେଷ୍ଟ ରିପୋର୍ଟକୁ ଖୋଦ୍ ରାଜ୍ୟ ସରକାରଙ୍କ ଓଡ଼ିଶା ରାଜ୍ୟ ଔଷଧ ନିଗମ (ଓଏସ୍ଏମ୍ସିଏଲ୍) ଭିମ୍ସାର ଅଧୀକ୍ଷକଙ୍କୁ ପଠାଇବା ପରେ ଘଟଣା ପଦାକୁ ଆସିଛି । ଏହି ଘଟଣାରେ ରାଜ୍ୟ ସରକାରଙ୍କ ଔଷଧ ନିଗମ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଦେଇଥିବା ପ୍ରତିକ୍ରିୟାକୁ କାଉଣ୍ଟର କରିବା ସଦୃଶ ବୋଲି ମତପ୍ରକାଶ ପାଇଛି ।
ଗତ ମାସରେ ଭିସୁଟ୍ର ୪୦ରୁ ଅଧିକ ଛାତ୍ର ୩ ଦିନ ମଧ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହି ଘଟଣା ଜଣାପଡ଼ିବା ପରେ ଗତ ୨ ତାରିଖରେ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କିଟ୍ ଭୁଲ ଥିବା ଦର୍ଶାଇଥିଲେ । ଆର୍ଟିପିସିଆର୍ ପରୀକ୍ଷା ରିପୋର୍ଟରୁ ଉକ୍ତ ଘଟଣା ଜଣାପଡ଼ିଥିବା ଶ୍ରୀ ମହାପାତ୍ର କହିଥିଲେ । ସେହିଦିନ ହିଁ ଭିମ୍ସାର କର୍ତ୍ତୃପକ୍ଷ ଚିଠି ସଂଖ୍ୟା ୨୭୯୧/ତାରିଖ ୨/୩/୨୦୨୧ରେ ରାଜ୍ୟ ସରକାରଙ୍କ ଔଷଧ ନିଗମକୁ ଚିଠି ଲେଖି ସିଏଜି ଡି୦୦୮ ଓ ଡି୦୧୪ ବ୍ୟାଚ୍ର କିଟ୍ ଭୁଲ ଥିବା କହିଥିଲେ । ତେଣୁ ଉକ୍ତ କିଟ୍ଗୁଡ଼ିକ ଫେରସ୍ତ ନେବା ପାଇଁ ମଧ୍ୟ କର୍ତ୍ତୃପକ୍ଷ ନିଗମକୁ ଚିଠିରେ ଲେଖିଥିଲେ । ଏହାର ଜବାବରେ ଶୁକ୍ରବାର ଅର୍ଥାତ୍ ୫ ତାରିଖରେ ଓଡ଼ିଶା ରାଜ୍ୟ ଔଷଧ ନିଗମ ଭିମ୍ସାର କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଆଇସିଏମ୍ଆର୍ର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶାଖାରେ ପରୀକ୍ଷା ହୋଇଥିବା ଉକ୍ତ ବ୍ୟାଚ୍ଗୁଡ଼ିକର ଆଣ୍ଟିଜେନ୍ ଓ ଆର୍ଟିପିସିଆର୍ ରିପୋର୍ଟ ପ୍ରଦାନ କରିଛି । ଏହାସହିତ କିଟ୍ ଯୋଗାଣକାରୀ ସଂସ୍ଥା ମେସର୍ସ ଓସ୍କାର ମେଡିକେୟାର ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଭିମ୍ସାର କୋଭିଡ୍ ନୋଡାଲ ଅଧିକାରୀ ଡା. ସୁଦର୍ଶନ ପୋଥାଳଙ୍କ ଉପସ୍ଥିତିରେ ହୋଇଥିବା ଲାଇଭ୍ ଡେମୋର ଏକ ରିପୋର୍ଟ ମଧ୍ୟ ପ୍ରଦାନ କରିଛି ।