୩ ଦିନ ଘୁଞ୍ଚିଲା ସିବିଏସ୍‌ଇ ପରୀକ୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍) : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ‌ଶ୍ରେଣୀ ପରୀକ୍ଷା କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଉଭୟ ଶ୍ରେଣୀର ବୋର୍ଡ ପରୀକ୍ଷା ମେ ପହିଲାରୁ ଆରମ୍ଭ ହେବାକୁ ଥିବାବେଳେ ଏହାକୁ ୩ଦିନ ଘୁଞ୍ଚାଇ ଦିଆଯାଇଛି। ନୂଆ କାର୍ଯ୍ୟସୂଚୀ ଅନୁସାରେ ଉଭୟ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ମେ ୪ରୁ ଆରମ୍ଭ ଆରମ୍ଭ ହେବ। ଏନେଇ ସିବିଏସ୍‌ଇ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଦଶମ ଶ୍ରେଣୀ ପରୀକ୍ଷା ମେ ୪ରୁ ଆରମ୍ଭ ହୋଇ ଜୁନ୍ ୭ରେ ସରିବ। ସେହିପରି ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ମେ ୪ରୁ ଆରମ୍ଭ ଏବଂ ଜୁନ୍ ୧୪ରେ ଶେଷ ହେବ।

ଦ୍ବାଦଶ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ପାଇଁ ୪ଦିନ ଦୁଇଟି ସିଟିଂରେ ପରୀକ୍ଷା କରାଯିବାକୁ ଥିବାବେଳେ ଅନ୍ୟବାକି ଦିନଗୁଡିକରେ ଗୋଟିଏ ସିଟିଂରେ ପରୀକ୍ଷା ହେବ। ପ୍ରଥମ ସିଟିଂ ପୂର୍ବାହ୍ନ ୧.୩୦ମିନିଟ୍‌ରୁ ଆରମ୍ଭ ହୋଇ ଅପରାହ୍ଣ ୧.୩୦ ମିନିଟ୍‌ରେ ସରିବ। ଦ୍ବିତୀୟ ସିଟିଂ ଅପରାହ୍ଣ ସାଢେ ୨ଟାରୁ ଆରମ୍ଭ ହୋଇ ସାଢେ ୫ଟା ପର୍ଯ୍ୟନ୍ତ ଚାଲିବ। ପ୍ରଥମ ସିଟିଂରେ ୧୦ଟାରେ ବିଦ୍ୟାର୍ଥୀଙ୍କୁ ହଲ୍‌ ଭିତରେ ପରୀକ୍ଷା ଖାତା ବିତରଣ କରାଯିବ। ଏହାର ୧୫ମିନିଟ୍‌ ପରେ ପ୍ରଶ୍ନପତ୍ର ଦିଆଯିବ। ବିଦ୍ୟାର୍ଥୀ ସାଢେ ୧୦ଟାରୁ ଉତ୍ତର ଦେଖିବା ଆରମ୍ଭ କରିବେ। ଦ୍ବିତୀୟ ସିଟିଂରେ ଅପରାହ୍ଣ ୨ଟାରେ ବିଦ୍ୟାର୍ଥୀଙ୍କୁ ଖାତା ଦିଆଯିବ। ଏହାର ୧୫ମିନିଟ୍‌ ପରେ ପ୍ରଶ୍ନପତ୍ର ବଣ୍ଟନ କରାଯିବ। ଛାତ୍ରଛାତ୍ରୀ ସାଢେ ୨ଟାରୁ ଉତ୍ତର ଦେଖିବା ଆରମ୍ଭ କରିବେ। ଅନ୍ୟପଟେ ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଇଁ ଗୋଟିଏ ସିଟିଂରେ ପରୀକ୍ଷା କରାଯିବ। ପୂର୍ବାହ୍ନ ସାଢେ ୧୦ଟାରୁ ସାଢେ ୧ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ୧୫ମିନିଟ୍‌ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ବିତରଣ କରାଯିବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *