ଆସାମରେ ୯୨ଟି ଆସନରେ ଲଢିବ ବିଜେପି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଆସାମ ବିଧାନସଭା ନିର୍ବାଚନକୁ ନେଇ ବିଜେପି ଏବଂ ସହଯୋଗୀ ଦଳ ଆସାମ ଗଣ ପରିଷଦ ବା ଏଜିପି ଓ ୟୁନାଇଟେଡ୍ ପିପୁଲ୍ସ ଲିବରାଲ ବା ୟୁପିପିଏଲ ମଧ୍ୟରେ ଆସନ ବୁଝାବଣାକୁ ନେଇ ସହମତି ପ୍ରକାଶ ପାଇଛି ।  ଏଜିପି ୨୬, ୟୁପିପିଏଲ ୮ଟି ଆସନରେ ନିର୍ବାଚନ ଲଢିପାରନ୍ତି । ଅନ୍ୟ ସବୁ ଆସନରେ ବିଜେପି ପ୍ରାର୍ଥୀ ଦେବ ।

ଏହାପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଘରେ ଆସନ ବୁଝାବଣାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଜେପି ନେତା ଓ ସରକାରରେ ମନ୍ତ୍ରୀ ଥିବା ହେମନ୍ତ ବିଶ୍ୱ ଶର୍ମା, ଆସାମ ଗଣ ପରିଷଦ ଏବଂ ବିଜେପିର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ଆସାମର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଥିବା ସର୍ବାନନ୍ଦ ସୋନୋଓ୍ୱାଲ ମଧ୍ୟ ବୈଠକରେ ଉପସ୍ଥିତ ରହିଥିଲେ । କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ମଧ୍ୟ ବୁଧବାର ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଯେଉଁଥିରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ୱାଲ, ରାଜ୍ୟ ବିଜେପି ସଭାପତି ରଞ୍ଜିତ ଦାସ, ଏଜିପି ଅଧ୍ୟକ୍ଷ ଅତୁଲ ବୋରା, ୟୁପିପିଏଲ ମୁଖ୍ୟ ପ୍ରମୋଦ ବୋରୋ ସାମିଲ ହୋଇଥିଲେ ।

ସୂଚନାଯୋଗ୍ୟ, ଆସାମ ବିଧାନସଭାରେ ୧୨୬ଟି ଆସନ ରହିଛି । ରାଜ୍ୟରେ ମାର୍ଚ୍ଚ ୨୭ରୁ ୬ ଏପ୍ରିଲ ଯାଏଁ ତିନୋଟି ପର୍ଯ୍ୟାୟରେ ମତଦାନ ହେବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୪୭ଟି, ଦ୍ୱିତୀୟରେ ୩୯ ଓ ତୃତୀୟରେ ୪୦ଟି ଆସନରେ ଭୋଟଗ୍ରହଣ ହେବ ।

Leave a Reply

Your email address will not be published. Required fields are marked *