ଆଜି ପୁଡୁଚେରୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ତାମିଲନାଡୁ ଓ ପୁଡୁଚେରୀ ଗସ୍ତ କରିବେ । ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ବିଦ୍ୟୁତ ପରିଯୋଜନା ସମେତ ଅନେକ ବିକାଶ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ପିଏମଓର ସୂଚନାନୁସାରେ, ମୋଦୀ ୧୧ଟା୩୦ରେ ପୁଡୁଚେରୀର ଅନେକ ପ୍ରକଳ୍ପର ଉଦଘାଟନ କରିବେ । ଅପରାହ୍ନ ୪ଟାରେ ତାମିଲନାଡୁରେ ୧୨ ହଜାର ୪୦୦ କୋଟିର ଅନେକ ପ୍ରକଳ୍ପକୁ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ।
ପିଏମଓ ତରଫରୁ ଆହୁରି ମଧ୍ୟ କୁହାଯାଇଛି ଯେ, ତାମିଲନାଡୁରେ ମୋଦୀ ନ୍ୟେବେଲୀ ବିଦ୍ୟୁତ ପରିଯୋଜନାକୁ ଦେଶ ପାଇଁ ଉତ୍ସର୍ଗ କରିବେ । ଏହି ପ୍ରକଳ୍ପରେ ୧୦୦୦ ମେଗାଓ୍ୱାଟର ବିଦ୍ୟୁତ ଉତ୍ପାଦନ ହେବ । ଏଥିରୁ ତାମିଲନାଡୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ପୁଡୁଚେରୀକୁ ଫାଇଦା ହେବ ।
ପୁଡୁଚେରୀରେ ପ୍ରଧାନମନ୍ତ୍ରୀ ସତନାଥପୁରମ-ନାଗାପଟ୍ଟିନମ ରାସ୍ତାର ଶିଳାନ୍ୟାସ କରିବେ । ଏହାସହ କରାକଲ ଜିଲ୍ଲାରେ ମେଡିକାଲ କଲେଜର ନୂଆ କ୍ୟାମ୍ପସକୁ ଉଦଘାଟନ କରିବେ । ଏହାବ୍ୟତୀତ ଅନେକ ପ୍ରକଳ୍ପର ମଧ୍ୟ ଉଦଘାଟନ କରିବେ ।











