ବଢୁଛି କୋଭିଡ଼ ସଂକ୍ରମଣ, ପୁଣି ଫେରିଲା ନାଇଟ୍ କର୍ଫ୍ୟୁ ;୨୮ ଯାଏ ସ୍କୁଲ ଓ କଲେଜ ବନ୍ଦ
ମୁମ୍ବାଇ, (ଓଡିଶା ଟାଇମ୍) :କୋଭିଡ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ପୁଣି ଫେରିଲା ନାଇଟ କର୍ଫ୍ୟୁ । ପୁଣେରେ ଆଜିଠୁ ଜାରି ହେବ ନାଇଟ କର୍ଫ୍ୟୁ । ରାତି ୧୧ଟାରୁ ସକାଳ ୬ଟା ଯାଏ କଟକଣା ଜାରି ରହିବ । କେବଳ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯିବ । ସେହିପରି ପୁଣେରେ ଫେବ୍ରୁଆରି ୨୮ ଯାଏ ସ୍କୁଲ ଓ କଲେଜ ବନ୍ଦ ରହିବ । କରୋନା ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ।
ସେପଟେ ଦେଶର ମୋଟ କରୋନା ସକ୍ରିୟ ସଂକ୍ରମିତଙ୍କ ମଧ୍ୟରୁ କେବଳ କେରଳ ଓ ମହାରାଷ୍ଟ୍ରର ୭୪ ପ୍ରତିଶତ ସଂକ୍ରମିତ ରହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ମଧ୍ୟ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମହାରାଷ୍ଟ୍ର, କେରଳ, ଛତିଶଗଡ, ମଧ୍ୟପ୍ରଦେଶ, ପଞ୍ଜାବ ଓ ଜାମ୍ମୁ-କାଶ୍ମୀରରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଏହାକୁ ନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଗୁଡିକୁ ରବିବାର କେତେକ ନିର୍ଦେଶନାମା ଜାରି କରିଛନ୍ତି। ନିର୍ଦେଶନାମାରେ ରାଜ୍ୟ ସରକାରଙ୍କୁ କରୋନା ସ୍ବାବ ନମୁନା ପରୀକ୍ଷା ସଂଖ୍ୟା ବଢାଇବାକୁ କୁହାଯାଇଛି।
ବିଶେଷକରି ଆରଟି-ପିସିଆର ପରୀକ୍ଷା ସଂଖ୍ୟା ବଢାଇବାକୁ କୁହାଯାଇଛି। ଏହା ସହିତ ସମସ୍ତ କରୋନା ନିୟମକୁ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି। ବିଶେଷକରି ସମସ୍ତ କ୍ଷେତ୍ର ପାଇଁ ଜାରି ଏସଓପିକୁ କଡାକଡି ଭାବେ ଅନୁସରଣ କରିବାକୁ କୁହାଯାଇଛି। ସଂକ୍ରମଣ ବୃଦ୍ଧି ପାଉଥିବା ଜିଲାଗୁଡିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ଲାଗି ପଦକ୍ଷେପ ନିଆଯିବ। ନୂଆ ଷ୍ଟ୍ରେନର ଭୂତାଣୁ ସଂକ୍ରମଣ ଉପରେ କଡାକଡି ନଜର ରଖିବାକୁ ନିର୍ଦେଶ ଦିଆଯାଇଛି।