ବଢୁଛି ସଂକ୍ରମଣ, ସତର୍କ ରହିବାକୁ ଚେତାବନୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :କରୋନା ଟିକାକରଣ ଅଭିଯାନ ଜୋର୍‌ ଧରିଥିବାବେଳେ ଏଥିସହିତ ତାଳ ଦେଇ ସଂକ୍ରମଣ ମଧ୍ୟ ବଢ଼ିଚାଲିଛି। ଗତ କିଛି ଦିନ ହେଲା ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ିବା ସହିତ ରାଜ୍ୟର କେତେକ ଅଞ୍ଚଳକୁ ତାଲାବନ୍ଦ ଫେରିଥିଲା। ଏବେ କେରଳ, ପଞ୍ଜାବ, ଛତିଶଗଡ଼ ଓ ମଧ୍ୟପ୍ରଦେଶ‌ରେ ସଂକ୍ରମଣ ବଢ଼ୁଥିବା ଦେଖାଯାଇଛି। ମହାରାଷ୍ଟ୍ର ଓ କେରଳରେ ନୂଆ ସଂକ୍ରମଣ ୭୫.୮୭ ପ୍ରତିଶତ ରହିଛି। ସେହିଭଳି ସଦ୍ୟ ମୃତ୍ୟୁମୁଖରେ ପଡ଼ୁଥିବା ସଂକ୍ରମିତଙ୍କ ମଧ୍ୟରୁ ୭୮ପ୍ରତିଶତ ହେଉଛନ୍ତି ଉପରୋକ୍ତ ‌୫ରାଜ୍ୟର ଅଧିବାସୀ। ହ୍ରାସ ପାଉଥିବା କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବା ନେଇ ଜନସାଧାରଣ ଆତଙ୍କିତ ହୋଇପଡ଼ିଛନ୍ତି। ସ୍ଥିତି ସୁଧୁରିବା ପରେ କଟକଣା କୋହଳ କରାଯାଇଥିବାରୁ ପୁଣି ପୂର୍ବପରି ସଂକ୍ରମଣ ବ୍ୟାପିବା ଆଶଙ୍କା ସରକାରଙ୍କୁ ଚିନ୍ତାରେ ପକାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସତର୍କତା ଜାରି କରାଯାଇଛି। ଏ ସଂକ୍ରାନ୍ତରେ ବିବୃତି ଜାରି କରି ସରକାର କରୋନା କଟକଣା ମାନି ଚଳିବାକୁ ଚେତାଇ ଦେଇଛନ୍ତି। ସଂକ୍ରମଣ ହାର ହ୍ରାସ ପାଇଁ କଟକଣା ମାନିବା ଅତ୍ୟନ୍ତ ଜରୁରୀ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ମହାରାଷ୍ଟ୍ର, କେରଳ ଓ କର୍ଣ୍ଣାଟକରେ ପ୍ରବେଶ ପୂର୍ବରୁ ଅନ୍ୟ ଅଞ୍ଚଳର ଲୋକଙ୍କ ପାଇଁ ଆର୍‌ଟିପିସିଆର ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି।

ପଞ୍ଜାବରେ ଗତ ସାତ ଦିନ ମଧ୍ୟରେ ଦୈନିକ ସଂକ୍ରମଣ ବୃଦ୍ଧି ଘଟୁଥିବା ରେକର୍ଡ କରାଯାଇଛି। ଗତ ୨୪ଘଣ୍ଟାରେ ୩୮୩ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ଗତ ୨୪ଘଣ୍ଟାରେ ୬,୨୮୧ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଛତିଶଗଡ଼ରେ ୨୫୯ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହି ରାଜ୍ୟରେ ସପ୍ତାହେ ଧରି ସଂକ୍ରମଣ ବଢ଼ିଚାଲିଛି। ପୁନର୍ବାର କରୋନା ସଂକ୍ରମଣ ବୃଦ୍ଧି ନେଇ ମହାରାଷ୍ଟ୍ର ସରକାର ଗୋଟିଏ ପରେ ଗୋଟିଏ କଟକଣା ଲଗାଇ ଚାଲିଛନ୍ତି। ବିଭିନ୍ନ ସ୍ଥାନରେ ତାଲାବନ୍ଦ ସହିତ କର୍ଫ୍ୟୁ ଜାରି କରାଯାଇଛି। ମୁମ୍ବଇର ୧୩୦୫ଟି କୋଠା ସିଲ୍‌ କରାଯାଇଛି। ମୋଟ ୭୧,୮୩୮ ପରିବାର କଟକଣାରେ ରହିଛନ୍ତି। ମୁମ୍ବଇ ମହାନଗରୀରେ ୨୭୪୯ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ବିଏମସି ଏହି ପଦକ୍ଷେପ ନେଇଛି l

Leave a Reply

Your email address will not be published.