ମାନିଲା ଡ୍ରାଗନ୍ : ଗଲଓ୍ୱାନ ସଙ୍ଘର୍ଷରେ ମରିଛନ୍ତି ଚୀନ ସୈନ୍ୟ, ନିହତ ଯବାନଙ୍କ ନାଁ ମଧ୍ୟ ପ୍ରକାଶ କଲା
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଏଲଏସିରେ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ ଧିରେଧିରେ ସୁଧୁରିବାରେ ଲାଗିଛି । ଉତ୍ତେଜନା ମଧ୍ୟ ହ୍ରାସ ପାଇଛି । ଏହା ମଧ୍ୟରେ ଚୀନ୍ ପ୍ରଥମ ଥର ପାଇଁ ଗଲଓ୍ୱାନ ସଙ୍ଘର୍ଷରେ ନିଜ ସୈନ୍ୟଙ୍କୁ ହରାଇଥିବା ମାନିଛି । ଗତ ବର୍ଷ ଜୁନରେ ପ୍ରାଣ ହରାଇଥିବା ୫ଜଣ ସୈନ୍ୟଙ୍କ ବାବଦରେ ତଥ୍ୟ ପ୍ରଦାନ କରିଛି ଡ୍ରାଗନ । ଏହି ସଙ୍ଘର୍ଷରେ ଭାରତର ୨୦ ଯବାନ ସହିଦ ହୋଇଥିଲେ ।
ଗ୍ଲୋବାଲ ଟାଇମ୍ସ ଅନୁସାରେ, ଚୀନର କେନ୍ଦ୍ରୀୟ ସୈନ୍ୟ ଆୟୋଗ କାରାକୋରମ ପାହାଡରେ ପ୍ରାଣ ହରାଇଥିବା ୫ ସୈନ୍ୟଙ୍କ ପ୍ରାଣବଳିକୁ ମନେ ପକାଇଛି । ଏହି ସୈନ୍ୟଙ୍କ ନାଁ ମଧ୍ୟ ପ୍ରକାଶ କରିଛି ଡ୍ରାଗନ । ସେମାନେ ହେଲେ କ୍ୟୁଇ ଫବାଓ, ଚେନ୍ ହେଗୁନ୍, ଜିୟାନଗାଙ୍ଗ୍, ଜିୟୋ ସିୟୁୟାନ, ବାଙ୍ଗ୍ ଜୁଓରୋନ୍ । ଏମାନଙ୍କ ମଧ୍ୟରୁ ୪ଜଣ ଗଲଓ୍ୱାନ ସଙ୍ଘର୍ଷରେ ନିହତ ହୋଇଥିବା ବେଳେ ଜଣେ ଉଦ୍ଧାକାର୍ଯ୍ୟ ବେଳେ ନିହତ ହୋଇଥିଲା ।
ତେବେ ଚୀନ୍ ଗଲଓ୍ୱାନ ସଙ୍ଘର୍ଷରେ ମରିଥିବା ସୈନ୍ୟ ସଂଖ୍ୟାକୁ କମ୍ ଦର୍ଶାଇଛି । ଏହି ସଙ୍ଘର୍ଷରେ ୫୦ରୁ ଅଧିକ ଚୀନ ଯବାନଙ୍କୁ ଗାଡିରେ ନିଆଯାଉଥିବା ଦେଖିବାକୁ ମିଳିଥିଲା । ଭାରତୀୟ ସେନା ମଧ୍ୟ ଏନେଇ ସୂଚନା ଦେଇଛି । ସେହିପରି ଋଷର ଟାସ୍ ମଧ୍ୟ ୪୫ ଚୀନ୍ ସୈନ୍ୟ ନିପାତ ହୋଇଥିବା କହିଥିଲା ।