ହାଇକୋର୍ଟ ଦେଲେ ଅନୁମତି: ସାରଥି ଦେଇପାରିବେ ପ୍ରବଚନ
ଭୁବନେଶ୍ବର, (ଓଡିଶା ଟାଇମ୍) :ଏଣିକି ପ୍ରବଚନ ଦେଇ ପାରିବେ ବହୁ ଚର୍ଚ୍ଚିତ ସାରଥି ବାବା। ପ୍ରବଚନ ଦେବା ନେଇ ସାରଥିଙ୍କୁ ହାଇକୋର୍ଟ ଅନୁମତି ଦେଇଛନ୍ତି। ସର୍ବାଧିକ ୨୦୦ ଲୋକଙ୍କୁ ନେଇ ଦେଇ ପାରିବେ ପ୍ରବଚନ। କୋଭିଡ୍ କଟକଣା ମାନି ପ୍ରବଚନ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରବଚନ ଦେବା ପାଇଁ ସାରଥି କୋର୍ଟରେ ଅପିଲ କରିଥିଲେ।
ଏବେ ଶୁଣିବାକୁ ମିଳିବ ସାରଥିଙ୍କ ପ୍ରବଚନ। ପୁଣି ଥରେ ତାଙ୍କର ଅନୁଗାମୀଙ୍କ ତାଙ୍କ ନିକଟକୁ ସୂଅ ଛୁଟିବ। ପ୍ରାୟ ଚାରି ବର୍ଷ ଜେଲ୍ରେ ରହିବା ପରେ ଗତ ବର୍ଷ ଜୁଲାଇ ୨୫ରେ ଚୌଦ୍ଵାର ଜେଲ୍ରୁ ମୁକୁଳିଥିବା ସାରଥି ପୁଣି ଥରେ ପ୍ରବଚନ ଦେବାକୁ ହାଇକୋର୍ଟରେ ଆବେଦନ କରିଥିଲେ। ଏହା ଉପରେ ଶୁଣାଣି କରି ଉଚ୍ଚ ନ୍ୟାୟାଳୟ ମଙ୍ଗଳବାର ତାଙ୍କୁ ଅନୁମତି ଦେଇଛନ୍ତି।
ଗତ ବର୍ଷ ଜାମିନ ପାଇ ଚୌଦ୍ୱାର ସେଣ୍ଟ୍ରାଲ ଜେଲରୁ ମୁକୁଳିଥିଲେ ଆତ୍ମ ଘୋଷିତ ଭଗବାନ ସନ୍ତୋଷ ରାଉଳ ଓରଫ ସାରଥି। ୨ ଜଣ ଜାମିନଦାର ଓ ୨ ଲକ୍ଷ ଟଙ୍କା ବେଲ ବଣ୍ଡ ବଦଳରେ ସାରଥିଙ୍କୁ ଜୁଲାଇ ୨୨ ତାରିଖ ଦିନ କୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ପ୍ରାୟ ୪ ବର୍ଷ ପୂର୍ବେ ସାରଥିଙ୍କୁ ମହିଳାଙ୍କୁ ଅସଦାଚରଣ ସମେତ ୩ଟି ମାମଲାରେ ଗିରଫ କରାଯାଇଥିବା ବେଳେ ସେ ଏପର୍ଯ୍ୟନ୍ତ ଜେଲରେ ବନ୍ଦୀ ଥିଲେ।