ଉତ୍ତରାଖଣ୍ଡ ବିଭୀଷିକା: ଆଜି ଆଉ ୧୨ ମୃତଦେହ ଉଦ୍ଧାର
ଉତ୍ତରାଖଣ୍ଡ, (ଓଡିଶା ଟାଇମ୍) : ଉତ୍ତରାଖଣ୍ଡ ଚମୋଲିରେ ଗତ ରବିବାର ଦିନ ଗ୍ଲେସିୟର ଭାଙ୍ଗିବା ଯୋଗୁଁ ହୋଇଥିବା ଜଳ ପ୍ରଳୟ ପରେ ସପ୍ତାହେ ହେଲା ଲଗାତାର ସର୍ଚ୍ଚ ଅପରେସନ ଜାରି ରହିଛି। ସର୍ଚ୍ଚ ଅପରେସନରେ ଆଜି ୧୨ଜଣଙ୍କ ଶବ ଉଦ୍ଧାର ହୋଇଛି। ଏବେ ସୁଦ୍ଧା ୫୦ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଚମୋଲି ଜିଲ୍ଲା ଅଧିକାରୀ ସ୍ଵାତି ଭଦୋରିଆ କହିଛନ୍ତି ଯେ ଟନେଲରେ ଉଦ୍ଧାରକାର୍ଯ୍ୟ ଆହୁରି ଦ୍ରୁତଗାଟିରେ କରାଯିବ। ପାଣିପାଗ ବିଭାଗ ଅନୁଯାୟୀ, ୧୪ ରୁ ୧୬ ତାରିଖ ମଧ୍ୟରେ ଅଞ୍ଚଳରେ ପାଣିପାଗ ଖରାପ ରହିବ। ବର୍ଷା ସମ୍ଭାବନା ରହିଛି। ଫଳରେ ଉଦ୍ଧାରକାରୀ ଟିମଙ୍କ ପାଇଁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ।
ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର କହିଛନ୍ତି, ତପୋବନ ଟନେଲରେ ଫେବୃଆରୀ ୭ ତାରିଖରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ରବିବାର ଦିନ ଟନେଲରୁ ଦୁଇଟି ଶବ ବାହାର କରାଯାଇଛି। ଉତ୍ତରାଖଣ୍ଡ ପୋଲିସ, ଏସଡିଆରଏଫ ଯବାନ ଉଦ୍ଧାରକାର୍ଯ୍ୟରେ ଲାଗିଛନ୍ତି। ଏନଡିଆରଏଫ କ୍ୟାମେରା ଜରିଆରେ ଟନେଲ ଭିତରେ ଫସିଥିବା ଲୋକଙ୍କୁ ଖୋଜିବାକୁ ପ୍ରୟାସ କରୁଛି। ସେ କହିଛନ୍ତି ଜଳ ପ୍ରଳୟ ପରେ ଋଷିଗଙ୍ଗା ନଦୀ ଉପରେ ନିର୍ମାଣ ହୋଇଥିବା ହ୍ରଦରେ ବର୍ତ୍ତମାନ କୌଣସି ବିପଦ ନାହିଁ। ହ୍ରଦ ପାଇଁ ବିପଦ ଆଶଙ୍କା କରାଯାଇଥିଲା। ଏନଡିଆରଏଫ ଓ ଏସଡିଆରଏଫ ଟିମ ଏହାର ଯାଞ୍ଚ କରିଥିଲେ।