ଲାଲ୍କିଲ୍ଲା ହିଂସାର ମାଷ୍ଟରମାଇଣ୍ଡ ଦୀପ୍ ସିଦ୍ଧୁ ଗିରଫ, ୧୫ ଦିନ ଧରି ଫେରାର୍ ଥିଲେ ଦୀପ୍
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଦୀପ ସିଦ୍ଧୁଙ୍କୁ ଗିରଫ କରିଛି। ଗତ ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି ଆଳରେ ଦିଲ୍ଲୀ ଲାଲକିଲ୍ଲାରେ ସଂଗଠିତ ହିଂସା ଘଟଣାରେ ସିଦ୍ଧୁ ମୁଖ୍ୟ ସୂତ୍ରଧର ବୋଲି କୁହାଯାଉଛି। ପ୍ରାୟ ୧୫ ଦିନ ହେବ ଫେରାର ଥିବା ଦୀପ ସିଦ୍ଧୁକୁ ସ୍ୱତନ୍ତ୍ର ସେଲ୍ ଟିମ୍ ପଞ୍ଜାବର ଜିରାକପୁର ନାମକ ଏକ ଅଞ୍ଚଳରୁ ଗିରଫ କରିଛି। ତାକୁ ଧରାଇ ଦେବା ପାଇଁ ପୁଲିସ ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା। ଆଜି ଦୀପ ସିଦ୍ଧୁକୁ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି।
ଜାନୁଆରୀ ୨୬ ପରଠାରୁ ଦୀପ ସିଦ୍ଧୁ ଫେରାର ହେବାସହିତ ବିଭିନ୍ନ ସମୟରେ ଭିଡିଓ ଜାରି କରି ସେ ଏହି ମାମଲାରେ ସଂପୃକ୍ତ ନାହିଁ ବୋଲି ସଫେଇ ଦେଇଥିଲା। ଟ୍ରାକ୍ଟର ରାଲି ହିଂସା ଏବଂ ଆନ୍ଦୋଳନରତ ଚାଷୀଙ୍କ ଦ୍ବାରା ଲାଲକିଲ୍ଲାରେ ଜବରଦସ୍ତ ପ୍ରବେଶ ପାଇଁ ଦୀପ ସିଦ୍ଧୁ ସେମାନଙ୍କୁ ପ୍ରୋତ୍ସାହିତ କରିଥିଲେ ବୋଲି ଅଭିଯୋଗ ରହିଛି। କିନ୍ତୁ ଦୀପ ସିଦ୍ଧୁ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହୁଥିଲେ । ତେବେ ଗଲା ୧୫ଦିନ ହେଲା ପୋଲିସ ହାତର ଖସିଯାଉଥିଲେ ଦୀପ୍ ସିଦ୍ଧୁ । ଶେଷରେ ପୋଲିସ ହାତରେ ଧରପଡିଛନ୍ତି ଦୀପ୍ ସିଦ୍ଧୁ ।