ଉତ୍ତରାଖଣ୍ଡ ଜଳ ପ୍ରଳୟ : ଏବେସୁଦ୍ଧା ୧୪ ମୃତଦେହ ଉଦ୍ଧାର, ୧୫୦ରୁ ଅଧିକ ନିଖୋଜ
ଉତ୍ତରାଖଣ୍ଡ, (ଓଡିଶା ଟାଇମ୍) :ଉତ୍ତରାଖଣ୍ଡର ଚମୋଲୀରେ ଗ୍ଲାସିୟର ଭାଙ୍ଗିଯିବା କାରଣରୁ ଭୀଷଣ ବନ୍ୟା ଆସିଛି। ବନ୍ୟାରେ ୧୫୦ ଜଣ ନିଖୋଜ ଅଛନ୍ତି। ଏବେସୁଦ୍ଧା ୧୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହା ଫଳରେ ବିଦ୍ୟୁତ ପ୍ରକଳ୍ପ ପ୍ଲାଣ୍ଚରୁ ଆରମ୍ଭ କରି ଚମୋଲୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଘର ଦ୍ୱାର ସବୁ ଭାଙ୍ଗିରୁଜି ଯିବା ସହ ସୂଅରେ ଭାସି ଯାଇଛି ।
ସ୍ଥାନୀୟ ପ୍ରଶାସନ ସହ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ଏଥିପାଇଁ ଭାରତୀୟ ବାୟୁସେନା ଓ ଏନଡିଆରଏଫ ଟିମକୁ ନିୟୋଜିତ କରାଯାଇଛି । ଗଙ୍ଗା ନଦୀ କୂଳରେ ଥିବା ଜନବସତି ଖାଲି କରାଯାଉଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।
ଉପର ମୁଣ୍ଡରୁ ଆସିଥିବା କାଦୁଅ ପାଇଁ ତପୋବନ ଏନଟିପିସି ପ୍ରକଳ୍ପରେ ବ୍ୟାପକ କ୍ଷତି ଘଟିଛି । ଏହି ପ୍ରକଳ୍ପର ସୁଡଙ୍ଗରେ ଅନେକ ଫସି ରହିଥିଲେ । ତେବେ ଫସିଥିବା ସମସ୍ତ ୧୬ ଜଣଙ୍କୁ ଉଦ୍ଧାରକାରୀ ଦଳ ସକୁଶଳ ଉଦ୍ଧାର କରାଯାଇଥିଲା। ଆଇଟିବିପି ଏବଂ ଏସଡିଆରଏଫର ଯବାନଙ୍କୁ ଏହି ଟନେଲରେ ଫସିଥିବା ଲୋକଙ୍କୁ କାଢିବାରେ ସଫଳ ହୋଇଥିଲେ । କିନ୍ତୁ ଆଉ ଏକ ସୁଡଙ୍ଗରେ ଅନେକ ଲୋକ ଫଶି ରହିଥିବା ଆଶଙ୍କା କରାଯାଉଛି। ଏହି ଟନେଲ୍ ବଡ ଥିବା କୁହାଯାଉଛି। ଏଥିରେ କେତେ ଜଣ ଲୋକ ଫସି ରହିଛନ୍ତି ତାହା ସକାଳେ ଭିତରକୁ ଗଲେ ହିଁ ଜଣା ପଡିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ନିଖୋଜ ଶତାଧିକ ଲୋକଙ୍କ ସନ୍ଧାନ ମିଳି ପାରିନାହିଁ।