ଶୀତ ପୁଣି ଲେଉଟିବ ; ୫ଦିନ କୁହୁଡ଼ି

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟର ଉତ୍ତର ଓଡ଼ିଶାରେ ରାତ୍ରିର ସର୍ବନିମ୍ନ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପାମତ୍ରା ସବୁଠୁ କମ ବାରିପଦାରେ ୧୨.୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ବାଲେଶ୍ବର, କେନ୍ଦୁଝର, ଚାନ୍ଦବାଲି, କଟକ, ସୁନ୍ଦରଗଡ, ଝାରସୁଗୁଡା, ଫୁଲବାଣୀ ଏବଂ ଅନୁଗୋଳରେ ୧୩ରୁ ୧୫ ଡିଗ୍ରୀ ମଧ୍ୟରେ ତାପମାତ୍ରା ରହିଛି। ଅନ୍ୟାନ୍ୟ ସ୍ଥାନରେ ୧୬ ଡିଗ୍ରୀ ଉପରେ ପାରଦ ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆସନ୍ତା ୫ଦିନ କୁହୁଡି ଦୃଶ୍ୟମାନ ହେବ। ଶୁକ୍ରବାର ସକାଳେ ମାଲକାନଗିରି, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ, ଝାରସୁଗୁଡା, ଅନୁଗୋଳ, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କୁହୁଡି ଅନୁଭୂତ ହେବ। ପରବର୍ତ୍ତୀ ତିନିଦିନ ବିଭିନ୍ନ ଜିଲାରେ ଘନ କୁହୁଡି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି। ଆସନ୍ତା ୨ରୁ ୩ଦିନ ପର୍ୟ୍ୟନ୍ତ ରାତ୍ରିର ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ; କିନ୍ତୁ ପରବର୍ତ୍ତୀ ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ୪ ଡିଗ୍ରୀ ଏବଂ ଉପକୂଳବର୍ତ୍ତୀ ଜିଲାଗୁଡିକରେ ୨ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବ। ଏହି ସମୟରେ ଶୀତ ପ୍ରକୋପ ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Leave a Reply

Your email address will not be published. Required fields are marked *