ଆଜିଠୁ ବଜେଟ୍ ଅଧିବେଶନ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :କରୋନା ମହାମାରୀ ମଧ୍ୟରେ ଶୁକ୍ରବାରଠାରୁ ଆରମ୍ଭ ହେବ ବଜେଟ୍ ଅଧିବେଶନ । କୋଭିଡ୍ ପାଇଁ ଦେଶର ଆର୍ଥିକ ସ୍ଥିତି ଦୋହଲି ଯାଇଥିବା ବେଳେ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଘରୋଇ ଅର୍ଥ ବ୍ୟବସ୍ଥାରେ ନୂଆ ଶକ୍ତି ଭରି ଏହାର ଅଣ୍ଟା ସଳଖିବା ନିମନ୍ତେ ଏହି ଅଧିବେଶନର ମୁଖ୍ୟ ଫୋକସ ରହିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ରେ ୨୦୨୧-୨୨ ଆର୍ଥିକବର୍ଷ ପାଇଁ ସଂସଦରେ ସାଧାରଣ ବଜେଟ୍ ଆଗତ କରିବେ ।
ଶୁକ୍ରବାର ସକାଳ ୧୧ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଉଭୟ ଗୃହକୁ ଉଦ୍ବୋଧନ ଦେବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଏଥର ରାଷ୍ଟ୍ରପତିଙ୍କ ଉଦ୍ବୋଧନ ବେଳେ ସାଂସଦମାନେ ସେଣ୍ଟ୍ରାଲ ହଲ୍ ବ୍ୟତୀତ ଲୋକସଭା ଓ ରାଜ୍ୟସଭାରେ ମଧ୍ୟ ବସିବେ ବୋଲି ଜଣାପଡିଛି। କରୋନା ସଂକ୍ରମଣ ଯୋଗୁ ସାମାଜିକ ଦୂରତା ରକ୍ଷା ନିମନ୍ତେ ଏଭଳି ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି ।
ତେବେ ବିରୋଧୀ ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବହିଷ୍କାର କରିବେ। ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବିରୋଧ କରୁଥିବା ଦଳଗୁଡିକ ହେଲା କଂଗ୍ରେସ, ଏନସିପି, ଜେକେଏନସି, ଡିଏମକେ, ଏଆଇଟିସି, ଶିବସେନା, ସମାଜବାଦୀ ପାର୍ଟି, ଆରଜେଡି, ସିପିଆଇଏମଏଲ, ସିପିଆଇ, ଆଇୟୁଏମଏଲ, ଆରଏସପି, ପିଡିପି, ଏମଡିଏମକେ, କେରଳ କଂଗ୍ରେସ ଓ AIUDF । ସେମାନେ କହିଛନ୍ତି ଯେ ଯେଉଁଭଳି ଭାବେ ଗତ ଅଧିବେଶନରେ ୩ଟି କୃଷି ଆଇନକୁ ପାରିତ କରାଯାଇଥିଲା, ସେହି ଆଇନ ବିରୋଧରେ ଏହି ପଦକ୍ଷେପ ନିଆଯାଇଛି।