କୃଷକ ଟ୍ରାକ୍ଟର ଶୋଭାଯାତ୍ରାରେ ହିଂସାକାଣ୍ଡ ଘଟଣା , ୨୦ ଚାଷୀ ନେତାଙ୍କୁ ନୋଟିସ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଟ୍ରାକ୍ଟର ରାଲି ବେଳେ ନୂଆଦିଲ୍ଲୀରେ ହିଂସା ଘଟଣାରେ ଆଜି ଦିଲ୍ଲୀ ପୁଲିସ ୨୦ ଜଣ ଚାଷୀ ନେତାଙ୍କୁ ନୋଟିସ ଜାରି କରିଛି। ଟ୍ରାକ୍ଟର ରାଲିର ସର୍ତ୍ତ ଖିଲାପ ଅଭିଯୋଗରେ ୨୦ ଜଣ କୃଷକ ନେତାଙ୍କୁ ପୁଲିସ ନୋଟିସ ଜାରି କରିଛି। ଏହି ୨୦ ଜଣ କୃଷକ ନେତାଙ୍କୁ ୩ ଦିନ ମଧ୍ୟରେ ଜବାବ ରଖିବାକୁ ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି।

ସେପଟେ ଚାଷୀ ନେତାମାନେ ହିଂସାକୁ ନେଇ ପାଲଟା ପୁଲିସ ଉପରେ ହିଁ ଅଭିଯୋଗ ଆଣିଛନ୍ତି। ସେମାନେ କହିଛନ୍ତି, ରାଲି ପାଇଁ ପୁଲିସ ଯେଉଁ ରୁଟ ଚାର୍ଟ ଦେଇଥିଲା ତାହା ଅବୁଝା ଥିଲା। ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା। ତେଣୁ ଏଭଳି ହିଂସା ପଛରେ ପ୍ରଶାସନ ହିଁ ଦାୟୀ ବୋଲି ସେମାନେ ପାଲଟା ଅଭିଯୋଗ ଆଣିଛନ୍ତି। ଯେଉଁମାନେ ଲାଲକିଲ୍ଲାରେ ପଶି ଉପଦ୍ରବ କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୃଷକମାନେ ଦାବି କରିଛନ୍ତି।

ସୂଚନା ଅନୁଯାୟୀ, କୃଷି ଆଇନ ବିରୋଧରେ ରାଜଧାନୀ ନୂଆଦିଲ୍ଲୀରେ ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ସମୟରେ ଚାଷୀଙ୍କ ଦ୍ବାରା ଘଟିଥିବା ହିଂସା ଘଟଣାରେ ପୁଲିସ  ୨୨ଟି ମାମଲା ରୁଜୁ କରିଥିଲା। ସେଥିରୁ ୫ଟି ମାମଲା ପୂର୍ବ ଦିଲ୍ଲୀରେ ରୁଜୁ ହୋଇଥିଲା।  କୃଷକମାନେ ଗତ ମଙ୍ଗଳବାର ଟ୍ରାକ୍ଟର ରାଲି କରିବା ସମୟରେ ଆଇନ ଉଲ୍ଲଂଘନ କରି ହିଂସାକାଣ୍ଡ ଘଟାଇଥିଲେ। ସେମାନଙ୍କ ଆକ୍ରମଣରେ ୮୬ ପୁଲିସ କର୍ମଚାରୀ ଆହତ ହୋଇଥିଲେ।  ଟ୍ରାକ୍ଟର ରାଲିରେ ହିଂସା ମାମଲରେ ଯେଉଁମାନଙ୍କ ନାଁରେ ଏଫଆଇଆର୍‌ ରୁଜୁ ହୋଇଛି ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ପୁଲିସକୁ ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି।

Leave a Reply

Your email address will not be published. Required fields are marked *