ଅନୁଗୁଳ ନାଲକୋ ପ୍ଲାଣ୍ଟର ସମ୍ପ୍ରସାରଣ ପାଇଁ ପୁଞ୍ଜିନିବେଶର ଦ୍ୱାର ଉନ୍ମୁକ୍ତ ହେଲା : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର, (ଓଡିଶା ଟାଇମ୍) : ଅନୁଗୁଳ ଜିଲ୍ଲାର ନ୍ୟାସନାଲ ଆଲୁମିନିୟମ କମ୍ପାନୀ (ନାଲକୋ) ଆଲୁମିନିୟମ ପ୍ଲାଣ୍ଟ ସମ୍ପ୍ରସାରଣର ପ୍ରକଳ୍ପ ଗୁଡିକ ପାଇଁ ଭାରତ ସରକାରଙ୍କ ଖଣି ଓ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ସବୁ ପଦକ୍ଷେପ ନିଆଯାଉଛି ବୋଲି ଗତ ଜାନୁଆରୀ ୪ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସମ୍ବନ୍ଧରେ ଲେଖିଥିବା ପତ୍ରର ଉତ୍ତରରେ ଚିଠି ଲେଖି ଜଣାଇଛନ୍ତି କେନ୍ଦ୍ର ଖଣି, କୋଇଲା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ  ପ୍ରହ୍ଲାଦ ଯୋଶୀ। ଏହାଦ୍ୱାରା ଅନୁଗୁଳ ନାଲକୋ ପ୍ଲାଣ୍ଟର ସମ୍ପ୍ରସାରଣ ପାଇଁ ପୁଞ୍ଜି  ନିବେଶର ଦ୍ୱାର ଉନ୍ମୁକ୍ତ ଥିବା କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି।
ଗତ ଜାନୁଆରୀ ୪ରେ ଅନୁଗୁଳ ନାଲକୋ ଆଲୁମିନିୟମ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ବାର୍ଷିକ ୦.୪୬ ମିଲିୟନ ଟନରୁ ବାର୍ଷିକ କ୍ଷମତା ୧ ମିଲିୟନ ଟନ୍‍ ବୃଦ୍ଧି କରିବା ପାଇଁ କେନ୍ଦ୍ର ଖଣି, କୋଇଲା ଓ ସଂସଦ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଶ୍ରୀ ପ୍ରଧାନ ପତ୍ର ଲେଖିଥିଲେ। ଏହାର ପ୍ରତିଉତ୍ତରରେ ଶ୍ରୀ ଯୋଶୀ ପତ୍ର ଲେଖି ନାଲକୋର ଏହି ପ୍ରକଳ୍ପ ଭାରତ ସରକାରଙ୍କ ପ୍ରାଥମିକତାରେ ରହିଛି ଏବଂ ଏହି ପ୍ରକଳ୍ପ କମ୍ପାନୀର କ୍ଷମତା ସମ୍ପ୍ରସାରଣ ପ୍ରକଳ୍ପରେ ପରିସରଭୃକ୍ତ ରହିଛି ବୋଲି କହିଛନ୍ତି।

ସେ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପ୍ରକଳ୍ପର ଡିଟେଲ୍ସ ପ୍ରଜେକ୍ଟ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ଆତ୍ମନିର୍ଭର ଭାରତକୁ ସାକାର କରିବା ପାଇଁ ଏହି ସବୁ ପ୍ରକଳ୍ପକୁ କାର୍ଯ୍ୟ କରିବା ଦିଗରେ ଖଣି ଓ କୋଇଲା ମନ୍ତ୍ରଣାଳୟ ସବୁ ପଦକ୍ଷେପ ନେଉଅଛି। ଏହି ସମ୍ପ୍ରସାରଣ ପ୍ରକଳ୍ପ ଦେଶ ଏବଂ ରାଜ୍ୟର ବିକାଶରେ ସହାୟକ ହେବ।

ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ଜାନୁଆରୀ ୪ ତାରିଖରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଏକ ପତ୍ର ଲେଖି ଉଲ୍ଲେଖ କରିଥିଲେ ଯେ ନାଲକୋ ଏହାର ଉତ୍ପାଦନ କ୍ଷମତା ବାର୍ଷିକ ୦.୪୬ ମିଲିୟନ ଟନରୁ ୧ ମିଲିୟନ ଟନ୍‍ ବୃଦ୍ଧି କରିବା ପାଇଁ ଅନୁଗୁଳ ଜିଲ୍ଲାରେ ସେମାନଙ୍କ ଆଲୁମିନିୟମ ସ୍ମେଲଟର ଫ୍ଲାଣ୍ଟ ପାଇଁ ଏକ ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପ ଆରମ୍ଭ କରୁଛି। ଏହି ପ୍ରକଳ୍ପରେ ୧୪୦୦ ମେଗାୱାଟ ଫିଡର କ୍ୟାପଟିଭ୍‍ ପାୱାର ଫ୍ଲାଣ୍ଟ ନିର୍ମାଣ ଅନ୍ତର୍ଭୁକ୍ତ ରହିଛି। ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ୨୨ ହଜାର କୋଟି ଥିବା ବେଳେ ଏହା ବର୍ତ୍ତମାନ ଜମି ଅଧିଗ୍ରହଣ ପର୍ଯ୍ୟାୟରେ ରହିଛି।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଥିଲେ ଯେ ପଟ୍ଟାଙ୍ଗୀ ଖଣି କାର୍ଯ୍ୟକ୍ଷମ ହେବା ପରେ ନାଲକୋର ବକ୍ସାଇଟ୍‍ ଉତ୍ପାଦନ କ୍ଷମତା ବାର୍ଷିକ ୭.୩ ମିଲିୟନ ଟନରୁ ବାର୍ଷିକ କ୍ଷମତା ୧୦.୫ ମିଲିୟନ ଟନକୁ ବୃଦ୍ଧି ପାଇବ। ଏହା ମଧ୍ୟରୁ ଆଲୁମିନାର ବାର୍ଷିକ କ୍ଷମତା ୩.୧ ମିଲିୟନ ଟନ ଧାରଣ କରିଥିବା ବେଳେ ଏହି ଆଲୁମିନାରୁ ବାର୍ଷିକ ୧.୫ ମିଲିୟନ ଟନ୍‍ ଆଲୁମିନିୟମ ଉତ୍ପାଦନ ହେବାର ସମ୍ଭାବନା ରହିଛି।

ଅନୁଗୁଳରେ ଆଲୁମିନାର ପ୍ରଚୁର ଉପଲବ୍ଧିକୁ ଦୃଷ୍ଟିରେ ରଖି ନାଲକୋର ଆଲୁମିନିୟମ୍‍ ସ୍ମେଲଟର ଫ୍ଲାଣ୍ଟର ଉତ୍ପାଦନ କ୍ଷମତା ବାର୍ଷିକ ୦.୪୬ ମିଲିୟନ ଟନରୁ ବାର୍ଷିକ ଉତ୍ପାଦନ କ୍ଷମତା ୧ ମିଲିୟନ ଟନ୍‍ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀଙ୍କୁ ପ୍ରସ୍ତାବ ଦେଇଥିଲେ।

Leave a Reply

Your email address will not be published. Required fields are marked *