ଲାଲୁ ଯାଦବଙ୍କ ଅବସ୍ଥା ସଙ୍କଟାପନ୍ନ: ନିଶ୍ୱାସ ନେବାରେ ଅସୁବିଧା
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଛି। ତାଙ୍କୁ ଦିଲ୍ଲୀ ଏମ୍ସ ସିଏନସି (Cardiothoracic and Neuro sciences centre) ର ସିସିୟୁ (କ୍ରିଟିକାଲ କେୟାର ୟୁନିଟ)ରେ ଭର୍ତ୍ତି କରାଯାଇଛି। ତେଜସ୍ୱି ଯାଦବ କହିଛନ୍ତି ଲାଲୁଙ୍କୁ ଗୁରୁବାର ରାତିରୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ତାଙ୍କ ଫୁସଫୁସରେ ସଂକ୍ରମଣ, ନିମୋନିଆ, ବ୍ଲଡ଼ ସୁଗାର ଓ କିଡନୀ ଜନିତ ସମସ୍ୟା ରହିଛି। ସେଥିପାଇଁ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତରିତ କରାଯାଇଛି। ଲାଲୁଙ୍କ ବୟସ ଯୋଗୁଁ ସ୍ୱାସ୍ଥ୍ୟରେ ଜଟିଳତା ଦେଖାଦେଇଛି। ହୃଦ୍ରୋଗ ବିଶେଷଜ୍ଞ, ଫୁସଫୁସ, କିଡନୀ ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା କରାଯାଉଛି।
ଗତକାଲି ତାଙ୍କୁ ଡ଼ିଲି ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା। ତାଙ୍କ ଫୁସଫୁସରେ ପାଣି ଜମା ହୋଇଯାଇଥିବାରୁ ତାଙ୍କୁ ନିଶ୍ୱାସ ନେବାରେ ଏଅସୁବିଧା ହେଉଥିଲା। ତାଙ୍କ କିଡନୀ ୨୫ ପ୍ରତିଶତ କାମ କରୁଛି। ଏହା ପୂର୍ବରୁ ରାଞ୍ଚି ଜେଲ ପ୍ରଶାସନ ମାସେ ପାଇଁ ଲାଲୁଙ୍କୁ ଏମ୍ସ ସ୍ଥାନାନ୍ତର କରିବାକୁ ଅନୁମତି ଦେଇଥିଲେ। ଜେଲ ଆଇଜି ବୀରେନ୍ଦ୍ର ଭୂଷଣ ରିମ୍ସ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଏଥିପାଇଁ ଅନୁମତି ଦେଇଥିଲେ।
ସୂଚନାଯୋଗ୍ୟ ଯେ, ୩ ବର୍ଷ ପୂର୍ବରୁ ଲାଲୁ ଯାଦବଙ୍କୁ ଦିଲ୍ଲୀ ଏମ୍ସ ନିଆଯାଇଥିଲା। ୨୦୧୮ ମାର୍ଚ୍ଚ ୨୮ ତାରିଖରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ୩୪ ଦିନର ଚିକିତ୍ସା ପରେ ଏପ୍ରିଲ ୩୦ ତାରିଖରେ ତାଙ୍କୁ ଏମ୍ସରୁ ଡିସଚାର୍ଜ କରି ପୁଣି ରାଞ୍ଚି ପଠାଇ ଦିଆଯାଇଥିଲା।