ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦ: ଉଦ୍ଧବ ଠାକରେଙ୍କ ବୟାନରେ ଜବାବ ଦେଲେ ୟେଦୁରପ୍ପା

ବେଙ୍ଗାଲୁରୁ, (ଓଡିଶା ଟାଇମ୍) :ମହାରାଷ୍ଟ୍ର ଓ କର୍ଣ୍ଣାଟକ ମଧ୍ୟରେ ସୀମା ବିବାଦ ପ୍ରସଙ୍ଗ ଆହୁରି ସମ୍ବେଦନଶୀଳ ହେବାରେ ଲାଗିଛି। ସୀମା ବିବାଦ ଉପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବୟାନ ବିରୋଧରେ ବେଲଗାଭି ସମେତ କର୍ଣ୍ଣାଟକର ବିଭିନ୍ନ ଅଞ୍ଚଳରେ ସୋମବାର ବିରୋଧ ପ୍ରଦର୍ଶନ ହୋଇଛି। ବିଭିନ୍ନ ଦଳର ନେତା ଠାକରେଙ୍କୁ କଡା ଶବ୍ଦରେ ନିନ୍ଦା କରିଛନ୍ତି। ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା କହିଛନ୍ତି, କର୍ଣ୍ଣାଟକରୁ ମହାରାଷ୍ଟ୍ରକୁ ଗୋଟିଏ ଇଞ୍ଚ ଜମି ଦେବାର ପ୍ରଶ୍ନ ଉଠୁନାହିଁ। ତାଙ୍କୁ ରାଜନୈତିକ କାରଣରୁ ବୟାନବାଜି କରିବା ବନ୍ଦ କରି ଦେବା ଉଚିତ୍।

ୟେଦୁରପ୍ପା ଟ୍ଵିଟ୍ କରିଛନ୍ତି ଯେ, ମୁଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନରେ ଦୁଃଖି ଯେ, ଏଥିରେ ବର୍ତ୍ତମାନର ସୌହାର୍ଦ୍ଦ୍ୟପୂର୍ଣ୍ଣ ମାହୋଲ ବିଗିଡିପାରେ। ମୁଁ ଆଶା କରୁଛି ଯେ, ଜଣେ ସଚ୍ଚୋଟ ଭାରତୀୟ ହୋଇଥିବାରୁ ଉଦ୍ଧବ ଠାକରେ ସଂଘବାଦର ସିଦ୍ଧାନ୍ତ ପ୍ରତି ପ୍ରତିବଦ୍ଧତା ଏବଂ ସମ୍ମାନ ପ୍ରଦର୍ଶନ କରନ୍ତୁ।

ସୂଚନାଯୋଗ୍ୟ, ଗତ ଶନିବାର ଉଦ୍ଧବ ଠାକରେ କହିଥିଲେ ଯେ, ତାଙ୍କ ସରକାର କର୍ଣ୍ଣାଟକର ସେହି ଅଞ୍ଚଳକୁ ନିଜ ରାଜ୍ୟରେ ସାମିଲ କରିବା ପାଇଁ ପ୍ରତିବଦ୍ଧ, ଯେଉଁଠି ମରାଠି ଭାଷୀ ଲୋକଙ୍କ ସଂଖ୍ୟା ଅଧିକ ରହିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଏକ ଟ୍ଵିଟ୍‌ରେ କହିଥିଲା ଯେ, ଏହି ଉଦ୍ଦେଶ୍ୟ ବଳିଦାନ ଦେଇଥିବା ଲୋକଙ୍କ ପ୍ରତି ବାସ୍ତବ ଶ୍ରଦ୍ଧାଞ୍ଜଳୀ ହେବ। ଆମେ ଏଥିପାଇଁ ଏକଜୁଟ୍ ଅଛୁ ଏବଂ ଆମର ପ୍ରତିଜ୍ଞା ଦୃଢ ରହିଛି। ସହିଦଙ୍କ ପ୍ରତି ସମ୍ମାନ ଜଣାଇ ଆମେ ଏହି ପ୍ରତିଶ୍ରୁତି ଦେଉଛୁ।

Leave a Reply

Your email address will not be published. Required fields are marked *