ଡିସେମ୍ବରରେ ୪ଜି ଡାଉନଲୋଡ ସ୍ପିଡ୍‌ରେ ସର୍ବାଗ୍ରେ ଜିଓ: ଟ୍ରାଇ ତଥ୍ୟ

ଭୁବନେଶ୍ୱର, (ଓଡିଶା ଟାଇମ୍) : ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ୪ଜି ଡାଉନଲୋଡ୍ ସ୍ପିଡ୍ ତାଲିକାରେ ଚଳିତ ବର୍ଷ ଡିସେମ୍ବର ମାସରେ ୪ଜି ଡାଉନଲୋଡ୍ ସ୍ପିଡ ତାଲିକାରେ ରିଲାଏନ୍ସ ଜିଓ ସେକେଣ୍ଡ ପିଛା ହାରାହାରି ୨୦.୨ ମେଗାବିଟ୍ (ଏମ୍‌ବିପିଏସ୍‌) ସ୍ପିଡ୍ ସହିତ ପୁଣିଥରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ଉଲ୍ଲେଖ କରାଯାଇଛି ।

ଡିସେମ୍ବର ମାସରେ ଜିଓ ହାସଲ କରିଥିବା ହାରାହାରି ୪ଜି ଡାଉନଲୋଡ୍ ସ୍ପିଡ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ମାନଙ୍କଠାରୁ ଦୁଇଗୁଣରୁ ଅଧିକ ରହିଛି । ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ତାହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭୋଡାଫୋନ ତୁଳନାରେ ହାରାହାରି ୪ଜି ଡାଉନଲୋଡ୍ ସ୍ପିଡ୍‌ର ଦୁଇଗୁଣରୁ ଅଧିକ ରେକର୍ଡ କରିଛି  ଭୋଡାଫୋନ ଏବଂ ଆଇଡିଆ ଯଦିଓ ସେମାନଙ୍କର ମୋବାଇଲ ବ୍ୟବସାୟର ସମ୍ମିଶ୍ରଣ ଘଟାଇ ଭୋଡାଫୋନ ଆଇଡିଆ ଲିମିଟେଡ କରିଛନ୍ତି, ତଥାପି ଟ୍ରାଇ ଉଭୟ ସଂସ୍ଥାର ନେଟୱର୍କ ସ୍ପିଡ୍ ସମ୍ପର୍କିତ ତଥ୍ୟ ପୃଥକ ପୃଥକ ଭାବରେ ପ୍ରକାଶ କରୁଛି । ଡିସେମ୍ବର ମାସରେ ଭୋଡାଫୋନ୍‌ର ହାରାହାରି ୪ଜି ଡାଉନଲୋଡ ସ୍ପିଡ୍ ୯.୮ ଏମ୍‌ବିପିଏସ୍ ରେକର୍ଡ କରାଯାଇଥିବାବେଳେ ତାହା ପଛକୁ ଆଇଡିଆ ଏବଂ ଭାରତୀ ଏୟାରଟେଲ୍‌ର ହାରାହାରି ୪ଜି ଡାଉନଲୋଡ ସ୍ପିଡ୍ ଯଥାକ୍ରମେ ୮.୯ ଏମ୍‌ବିପିଏସ୍ ଏବଂ ୭.୮ ଏମ୍‌ବିପିଏସ୍ ରହିଥିଲା ।

ଡିସେମ୍ବର ମାସରେ ହାରାହାରି ୪ଜି ଅପ୍‌ଲୋଡ ସ୍ପିଡ୍ କ୍ଷେତ୍ରରେ ଭୋଡାଫୋନ ଅନ୍ୟମାନଙ୍କ ଠାରୁ ଆଗରେ ରହିବା ସହିତ ୬.୫ ଏମ୍‌ବିପିଏସ୍ ହାରାହାରି ଅପ୍‌ଲୋଡ ସ୍ପିଡ୍ ହାସଲ କରିଥିବାବେଳେ ଏବଂ ଏହା ପଛକୁ ଆଇଡିଆର ହାରାହାରି ଅପ୍‌ଲୋଡ ସ୍ପିଡ ୬.୦ ଏମ୍‌ବିପିଏସ୍‌, ଏୟାରଟେଲ୍‌ର ୪.୧ ଏମ୍‌ବିପିଏସ୍ ଏବଂ ଜିଓର ୩.୮ ଏମ୍‌ବିପିଏସ୍ ରହିଥିବା ଜଣାଯାଇଛି ।
ଡାଉନଲୋଡ୍ ସ୍ପିଡ୍ ଉପଭୋକ୍ତାଙ୍କୁ ଇଂଟରନେଟ୍‌ରୁ ବିଭିନ୍ନ ବିଷୟବସ୍ତୁ ଦେଖିବା, ଖୋଜିବା ଓ ଡାଉନ୍‌ଲୋଡ୍ କରିବାରେ ସହାୟକ ହେଉଥିବାବେଳେ ଅପ୍‌ଲୋଡ ସ୍ପିଡ୍ ସେମାନଙ୍କୁ ଚିତ୍ର, ଭିଡିଓ ଆଦି ପଠାଇବାରେ ସହାୟକ ହୋଇଥାଏ, ଟ୍ରାଇ ପକ୍ଷରୁ ସମଗ୍ର ଭାରତରେ ଏହାର ମାଇଁ ସ୍ପିଡ୍ ଆପ୍ଲିକେସନ ଜରିଆରେ ବାସ୍ତବ ସମୟ ଭିତ୍ତିରେ ସଂଗ୍ରହ କରୁଥିବା ତଥ୍ୟ ଅନୁଯାୟୀ ହାରାହାରି ସ୍ପିଡ୍ ହିସାବ କରାଯାଇଥାଏ ।

Leave a Reply

Your email address will not be published. Required fields are marked *