ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଦେହାନ୍ତ
କଟକ, (ଓଡିଶା ଟାଇମ୍) : ଆଜି ଏସସିବି କୋଭିଡ୍ ହସ୍ପିଟାଲରେ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କର ପରଲୋକ ହୋଇଛି। କରୋନାରେ ଆକ୍ରାନ୍ତ ଥିବା ପ୍ରକାଶଙ୍କର କଟକ ବଡ଼ ମେଡିକାଲରେ ଚିକିତ୍ସା ଚାଲିଥିଲା। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ହୋଇନଥିଲା, ଯେଉଁକାରଣରୁ ଆଜି ଅପରାହ୍ନ ୪.୧୫ ମିନିଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି ତାଙ୍କର ବିୟୋଗରେ ସାରା ଓଡ଼ିଶାରେ ଦୁଃଖର ଲହରୀ ଖେଳିଯାଇଛି।
ପଦ୍ମଶ୍ରୀ ସମ୍ମାନିତ ସମାଜସେବୀ ପ୍ରକାଶ କଟକରେ ରହନ୍ତି।ପେଶାରେ ସେ ଜଣେ ଚା’ ବିକାଳି ହୋଇଥିଲେ ମଧ୍ୟ ନିଜ ସମାଜସେବା କାର୍ଯ୍ୟପାଇଁ ଦେଶ ବିଦେଶରେ ସେ ପରିଚିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଟକରେ ରାଓଙ୍କୁ ସାକ୍ଷାତ କରିଥିଲେ ଓ ନିଜ ମନ କି ବାତ କାର୍ଯ୍ୟକ୍ରମରେ ତାଙ୍କର ପ୍ରଶଂସା ମଧ୍ୟ କରିଥିଲେ।
ସ୍ତ୍ରୀ ଓ ଦୁଇ ଝିଅ ହରିପ୍ରିୟା ଏବଂ ଭାନୁପ୍ରିୟାଙ୍କୁ ନେଇ ପ୍ରକାଶଙ୍କର ପରିବାର। ରାଓଙ୍କର ଅଣଜେଜେ ଡି ଆପାଲସ୍ୱାମୀ କାକିନାଡାରୁ ଆସି କଟକରେ ରହିଥିଲେ। ଜେଜେବାପା ଡି ଆଦି ନାରାୟଣ ସ୍ୱାମୀ ଥିଲେ ମଧୁବାବୁଙ୍କର ନିକଟତମ ବ୍ୟକ୍ତି। । “ଉତ୍କଳ ଟ୍ୟାନେରୀ”ର ସେ ଥିଲେ ପରିଚାଳକ । ପିତା ଡି କ୍ରୀଷ୍ଣମୂର୍ତ୍ତୀ ଥିଲେ ଇଂରେଜମାନଙ୍କ ସୈନିକ । ଦ୍ବିତୀୟ ବିଶ୍ବଯୁଦ୍ଧରେ ସେ ଇଂରେଜମାନଙ୍କ ତରଫରୁ ଜାପାନ ବିରୁଦ୍ଧରେ ଯୁଦ୍ଧ କରିଥିଲେ । ବିଶ୍ୱଯୁଦ୍ଧପରେ ସେ କଟକରେ ଏକ ଖବରକାଗଜ ସଂସ୍ଥାରେ କାମ କରୁଥିଲେ । ସେଠାରୁ ଚାକିରି ଯିବାପରେ ତାଳଚେର ରାଜାଙ୍କଠୁ ୫ଟଙ୍କା ସାହାଯ୍ୟ ପାଇ ନିଜ ଚା ଦୋକାନ ଆରମ୍ଭ କରିଥିଲେ ।