ଟୁଇଟର, ଫେସ୍‌ବୁକ୍‌ ପରେ ୟୁଟ୍ୟୁବ୍‌ରୁ ବାସନ୍ଦ ହେଲେ ଟ୍ରମ୍ପ

ୱାସିଂଟନ, (ଓଡିଶା ଟାଇମ୍) :ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲଗାତାର ବ୍ୟାନ୍‌ କରାଯାଉଛି। ଟ୍ବିଟର ଏବଂ ଫେସବୁକ ପରେ ଅନ୍ୟତମ ଲୋକପ୍ରିୟ ସୋସିଆଲ ମିଡିଆ ସାଇଟ୍‌ ୟୁଟ୍ୟୁବ୍‌ ଟ୍ରମ୍ପଙ୍କ ଆକାଉଣ୍ଟ ସସ୍‌ପେଣ୍ଡ କରିବା ସହିତ ନିଜ ପ୍ଲାଟଫର୍ମରୁ ତାଙ୍କ ଭିଡିଓ ହଟାଇଛି।

ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ବିଟର ସହିତ ଟ୍ରମ୍ପଙ୍କ ଶତ୍ରୁତା ବହୁ ପୁରୁଣା ହୋଇଥିବାବେଳେ ଏବେ ଫେସବୁକ ଏବଂ ୟୁଟ୍ୟୁବ ବି ଟ୍ରମ୍ପଙ୍କ ବିଷୟବସ୍ତୁ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି। କିଛିଦିନ ତଳେ ଫେସବୁକ, ସ୍ନାପଚାଟ୍‌ ଏବଂ ଟ୍ବିଟର ପକ୍ଷରୁ ଟ୍ରମ୍ପଙ୍କ ଭିଡିଓ, ପୋଷ୍ଟ ସମେତ ଆକାଉଣ୍ଟକୁ ହଟାଇ ଦିଆଯାଇଥିଲା। ଏବେ ୟୁଟ୍ୟୁବ ଟ୍ରମ୍ପଙ୍କ ଦ୍ବାରା ଅପଲୋଡ୍‌ ହୋଇଥିବା ନୂଆ ଭିଡିଓକୁ ନିଜ ପ୍ଲାଟଫର୍ମରୁ ହଟାଇ ଦେଇଛି। ଏହା ସହିତ ଟ୍ରମ୍ପଙ୍କ ଚ୍ୟାନେଲକୁ ସେବା ସର୍ତ୍ତ ଉଲ୍ଲଂଘନ କରିବା ଅଭିଯୋଗରେ ସସ୍‌ପେଣ୍ଡ କରିଦିଆଯାଇଛି।

ୟୁଟ୍ୟୁବ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ, ଟ୍ରମ୍ପ ଏକ ଭିଡିଓ ଅପଲୋଡ୍‌ କରିଥିଲେ, ଯାହା ଆମ ନୀତିର ଉଲ୍ଲଂଘନ କରୁଥିଲା। ତେଣୁ ତାଙ୍କ ଚ୍ୟାନେଲ ଉପରେ ଆପେ ଆପେ ପ୍ରତିବନ୍ଧକ ଲାଗିଛି। ପ୍ରଥମ ପ୍ରତିବନ୍ଧକ ଅତି କମରେ ୭ଦିନ ପର୍ଯ୍ୟନ୍ତ ରହିବ। ଆଗାମୀ ୭ ଦିନ ଯାଏ ଟ୍ରମ୍ପ ନିଜ ଚ୍ୟାନେଲରେ କୌଣସି ଭିଡିଓ ଅପଲୋଡ କରିପାରିବେ ନାହିଁ। ଏହା ସହିତ ଟ୍ରମ୍ପଙ୍କ ଚ୍ୟାନେଲର କମେଣ୍ଟ ସେକ୍ସନକୁ ବି ବନ୍ଦ କରିଦିଆଯାଇଛି।

Leave a Reply

Your email address will not be published. Required fields are marked *