ପାରାଦୀପରେ ଆଜିଠୁ ୨ ଦିନିଆ ମିଳିତ ସମରାଭ୍ୟାସ ‘ସି-ଭିଜିଲ୍’,
ପାରାଦୀପ, (ଓଡିଶା ଟାଇମ୍) :ପାରାଦୀପରେ ଆଜିଠୁ ଦୁଇ ଦିନିଆ ମିଳିତ ସମରାଭ୍ୟାସ ‘ସି-ଭିଜିଲ୍’ । ଭାରତୀୟ ନୌସେନା ଓ ଭାରତୀୟ ତଟରକ୍ଷୀ ବାହିନୀ ସମେତ ଉପକୂଳରେ ଥିବା ସମସ୍ତ ମେରାଇନ୍ ଥାନା ସାମିଲ ହୋଇଛନ୍ତି। ପ୍ରଥମ ଥର ପାଇଁ ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ ବିଶାଖାପାଟଣା ଓ ନାଭାଲ ଅଫିସର ଇନଚାର୍ଜ ଓଡିଶା ଦ୍ବାରା ଆୟୋଜିତ ହୋଇଥିବା ସୂଚନା।
ଭାରତୀୟ ତଟ ରକ୍ଷା ବାହିନୀ, ଭାରତୀୟ ନୌସେନା, ପାରାଦୀପ ବନ୍ଦର, ସିଆଇଏସ୍ଏଫ୍, ଓଡ଼ିଶା ପୁଲିସ, ମେରାଇନ୍ ପୁଲିସ, ଇଣ୍ଟେଲିଜେନ୍ସ, ଅଗ୍ନିଶମ, ମତ୍ସ୍ୟ ବିଭାଗ(ମେରାଇନ୍), ବନବିଭାଗ ଭଳି ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ପ୍ରାୟ ୧୩ଟି ବିଭାଗ ଏଥର ସାମିଲ ହେବାର ସୂଚନା ରହିଛି । ଏଥିରେ ରେଡ୍ ଓ ବ୍ଲୁ ନାମରେ ଦୁଇଟି ଦଳ ଗଠନ କରାଯାଏ । ଗୋଟିଏ ଦଳକୁ ନକଲି ଆତଙ୍କବାଦୀ ବା ଅନୁପ୍ରବେଶକାରୀ ହେବାକୁ ନିର୍ଦ୍ଦେଶ ଦିଆଯାଏ ଯେଉଁମାନେ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ପୂର୍ବରୁ ଚିହ୍ନଟ ହୋଇଥିବା ପଏଣ୍ଟ ଗୁଡ଼ିକରେ ପଶିବାକୁ ଚେଷ୍ଟା କରିବେ । ଏହାକୁ ପ୍ରତିହତ କରିବେ ଅନ୍ୟ ଦଳର ସଦସ୍ୟମାନେ । ଏପରି ଭାବେ ସମରଭ୍ୟାସ୍ କରାଯିବାର କାର୍ଯ୍ୟକ୍ରମ ରହିଛି ।
ସୂଚନାଯୋଗ୍ୟ ଯେ, ଦେଶରେ ୨୦୦୮ରେ ହୋଇଥିବା ମୁମ୍ବାଇ ଆକ୍ରମଣ ଘଟଣା ସାରାଦେଶରେ ସୁରକ୍ଷା ବ୍ଯବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ତେଣୁ ଦେଶରେ ଆଗାମୀ ଦିନରେ ସମୁଦ୍ର ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା, ଶତ୍ରୁକୁ କିଭଳି ମୁକାବିଲା କରିବାକୁ ହେବ । ସେ ନେଇ ତଟ ସୁରକ୍ଷା ସହିତ ଜଡ଼ିତ ଥିବା ବିଭିନ୍ନ ବିଭାଗ ଗୁଡ଼ିକ କେତେ ପାରଙ୍ଗମ ତା’ର ସମୀକ୍ଷା କରିବା । ସେହିପରି କିଭଳି ନିଜ ନିଜ ଭିତରେ ସମନ୍ୱୟ ରକ୍ଷା କରି ବିପଦର ମୁକାବିଲା କରିବେ । ସେନେଇ ଏପରି ସମରାଭ୍ୟାସ ହୋଇଆସୁଛି ।