ମନରେଗା ମଜୁରୀ ଦେବାରେ ବିଳମ୍ବ କଲେ କଠୋର କାର୍ଯ୍ୟାନୁଷ୍ଠାନ:ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର, (ଓଡିଶା ଟାଇମ୍) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ସବୁ ଜିଲ୍ଲାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଯୋଜନା ଏବଂ ସହରାଞ୍ଚଳ ରୋଜଗାର ଯୋଜନା ଆଦିର କାର୍ଯ୍ୟକାରୀତା ସଂପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ମହାମାରୀ ଗତ ମାର୍ଚ୍ଚରୁ ଆମ ସମସ୍ତଙ୍କ ପାଇଁ ଏକ ଅଭୁତପୂର୍ବ ଆହ୍ବାନ ସୃଷ୍ଟି କରିଛି। ବିଶ୍ବର ଆର୍ଥିକ ଅଭିବୃଦ୍ଧି ନିମ୍ନଗାମୀ ହୋଇଛି ଏବଂ ଏହାଦ୍ବାରା ଗରିବ ଲୋକମାନେ ହିଁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଗରିବ ଲୋକଙ୍କ ପାଇଁ ଏହି ଦୁଃସମୟରେ ରୋଜଗାର ସୁନିଶ୍ଚିତ କରିବା ସରକାରଙ୍କର ପ୍ରାଥମିକତା। ରୋଜଗାର ଅଭାବରୁ ଯେପରି ଗୋଟିଏ ବି ପରିବାର କଷ୍ଟ ନ ପାଏ, ସେଥିପ୍ରତି ଧ୍ୟାନ ଦେବା ପାଇଁ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି। ମନରେଗା ସହିତ ରାଜ୍ୟ ସରକାରଙ୍କର ନିଜସ୍ବ ଯୋଜନା ସହରାଞ୍ଚଳ ରୋଜଗାର ଯୋଜନା ଜରିଆରେ ଗରିବ ଲୋକଙ୍କୁ ବ୍ୟାପକ ନିଯୁକ୍ତି ସୁଯୋଗ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି।
ଏହି ଦୁଇ କାର୍ଯ୍ୟକ୍ରମ ଜରିଆରେ ଚଳିତ ଆର୍ଥକ ବର୍ଷ ଶେଷ ସୁଦ୍ଧା ୨୦ କୋଟି ମାନବ ଦିବସ ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ଦୁଇ ଯୋଜନା ଜରିଆରେ ଜୀବିକା ଅର୍ଜନ କରୁଥିବା ଗରିବ ଲୋକମାନଙ୍କ ମଜୁରୀ ପାଇବାରେ ବିଳମ୍ବ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ସତର୍କ କରାଇ ଦେଇଛନ୍ତି। ହିତାକାରୀମାନେ ଯେଭଳି ଠିକ୍ ସମୟରେ ସେମାନଙ୍କ ମଜୁରୀ ପାଇପାରିବେ, ତା ଉପରେ ଗୁରୁତ୍ବ ଦେବା ସହିତ ମୋ ସରକାର ପ୍ଲାଟଫର୍ମ ଜରିଆରେ ହିତାଧିକାରୀ ମାନଙ୍କୁ ନିୟମିତ ଫୋନ୍ କରି ମଜୁରୀ ବିଷୟ ତଦାରଖ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। କେତେକ ଜିଲ୍ଲାରେ ହିତାଧିକାରୀ ମାନଙ୍କୁ ଠିକ୍ ସମୟରେ ମଜୁରୀ ଲୋକଙ୍କୁ ମିଳୁଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ।