ସ୍ୱେଚ୍ଛାସେବୀ ଅନୁପମା ପଣ୍ଡାଙ୍କୁ ସ୍ୱତନ୍ତ୍ର ସମ୍ମାନ “ସେବା-ସହଯୋଗରୁ ଐଶରୀୟ ଆନନ୍ଦ ମିଳେ”

କଟକ,(ଓଡିଶା ଟାଇମ୍) : ଲୋକଙ୍କ ସେବା କରିବାରେ ଐଶରୀୟ ଆନନ୍ଦ ମିଳେ। ସେହିଭଳି ଆତ୍ମସନ୍ତୋଷ କେବଳ ଅନୁଭବୀ ହିଁ ଜାଣିପାରେ। ସେସବୁ ଶବ୍ଦରେ ପ୍ରକାଶ କରିବା ସହଜ ନୁହେଁ। ଆକାଶବାଣୀ ଶ୍ରୋତା ପରିଷଦ ଓଡ଼ିଶା ପକ୍ଷରୁ ସ୍ୱତନ୍ତ୍ର ଭାବେ ସମ୍ମାନିତ ହେବା ଅବସରରେ ସ୍ୱେଚ୍ଛାସେବୀ ତଥା କଟକ ବଡ଼ମେଡିକାଲରେ “ସହାୟ” ଅନୁଷ୍ଠାନ ପକ୍ଷରୁ କାର୍ଯ୍ୟ କରୁଥିବା ବରିଷ୍ଠ କର୍ମକର୍ତ୍ତା ଅନନ୍ୟା ଅନୁପମା ପଣ୍ଡା ଉପରୋକ୍ତ ମତ ଦେଇଛନ୍ତି।

ଆଜି କଟକ ପ୍ରେସ୍ ଛକ ସ୍ଥିତ ଓୟା ମଣ୍ଡପରେ ପରିଷଦ ପକ୍ଷରୁ ଅନୁଷ୍ଠିତ “ସଂକଳ୍ପ ଓ ସମ୍ବର୍ଦ୍ଧନା ଉତ୍ସବ ୨୦୨୦” କାର୍ଯ୍ୟକ୍ରମରେ ରାଜ୍ୟର କୋଣଅନୁକୋଣରୁ ବହୁ ଆକାଶବାଣୀ ଶ୍ରୋତାମଣ୍ଡଳୀ ଯୋଗ ଦେଇଥିଲେ। ସେହିପରି “ମହାମାରୀ କରୋନା ପରିପ୍ରେକ୍ଷୀରେ ଆକାଶବାଣୀର ଭୂମିକା ଅତୁଳନୀୟ” ପ୍ରସଙ୍ଗରେ ଆକାଶବାଣୀ କଟକ କେନ୍ଦ୍ରର ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରି ପ୍ରକୃତ କରୋନା ଯୋଦ୍ଧାଙ୍କ ସମ୍ପର୍କରେ ଆଲୋଚନା କରିବା ସହ ସ୍ୱେଚ୍ଛାସେବୀ ଅନୁପମାଙ୍କ ନିଷ୍ଠାପର ସେବା ପ୍ରଦାନ କାର୍ଯ୍ୟକୁ ଖୁବ୍ ପ୍ରଶଂସା କରିଥିଲେ।

ଏହି ଅବସରରେ କାର୍ଯ୍ୟକ୍ରମର ଅନ୍ୟତମ ପ୍ରାୟୋଜକ “ଭାରତ ମସଲା”ର ବରିଷ୍ଠ କାର୍ଯ୍ୟକର୍ତ୍ତା ସରୋଜ କୁମାର ପଣ୍ଡାଙ୍କ ସମେତ ଅନ୍ୟ ପ୍ରମୁଖ ଅତିଥିବୃନ୍ଦ ଅନୁପମାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଲୋକଙ୍କ ସେବାକାର୍ଯ୍ୟ ଏଭଳି ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଅନ୍ୟ କେତକ ପ୍ରତିଭାଙ୍କୁ ମଧ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published.